SI ଆଶାୟୀଙ୍କ ପାଇଁ ବଡ଼ ଅପଡେଟ୍ । ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା: ଓୟୁଏସଏସଏସସି

SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ।ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ହୋଇଥିବା ସମସ୍ତ ପ୍ରାର୍ଥୀ ପୁଣିଥରେ ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ସିଲାବସ୍‌ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ପରୀକ୍ଷା କରିବାକୁ କମିଶନ ପ୍ରତିଶ୍ରୁତି ଦେଇଛି ।ଗତବର୍ଷ ଓଡିଶା ପୋଲିସ SI ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଏବେ ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ସହ ସିବିଆଇ ଏଥିରେ ସମ୍ପୃକ୍ତ ୧୬ ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି।ସେପଟେ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆଜି ଭୁବନେଶ୍ୱରସ୍ଥିତ OUSSC କାର୍ଯ୍ୟାଳୟ ଆଗରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି SI ଆଶାୟୀ । ପ୍ରାୟ ତିନି ମାସ ହେଲା କାର୍ଯ୍ୟାଳୟ ଚାଲୁଥିଲେ ମଧ୍ୟ ସେଠାରେ ନାମଫଳକ ନଥିବା ଅଭିଯୋଗ କରି, ନିଜେ ଏକ ନାମଫଳକ ଲଗାଇ କଳା ଫିତା କାଟି ପ୍ରତୀକାତ୍ମକ ଭାବେ କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ । ଏହା ମାଧ୍ୟମରେ କମିଶନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଶୀଘ୍ର ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ସମ୍ପନ୍ନ କରିବାକୁ ଦାବି କରିଛନ୍ତି ଆଶାୟୀ ପରୀକ୍ଷାର୍ଥୀ ।

You might also like