ଫେସ୍ବୁକ୍ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର ପୋଲିସ ଗୁରୁବାର ଗିରଫ କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ହେଲେ କୁଲଦୀପ ହାସଦା(୨୩)। ଏନେଇ ପୋଲିସ ଏକ ମାମଲା ନଂ.୬୧୬/୨୫ ରୁଜୁ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍ବୁକ୍ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲା। ଜୁନ୍ ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲା ଯୁବକ। ଭୟରେ ଛାତ୍ରୀ ଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।ହେଲେ ଗତ ୨ ଦିନ ତଳେ ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରୀ ପରୀକ୍ଷାରୁ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ପରିବାର ଲୋକେ ଗୁରୁବାର ବୀରମିତ୍ରପୁର ଥାନାରେ ଏତଲା ଦେଇଥିଲେ।ବୀରମିତ୍ରପୁର ଥାନାଧିକାରୀ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରି ତାଙ୍କ ଗାଁରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି।