ବିକ୍ଷୋଭରେ ପିଲା ଭାଙ୍ଗାରୁଜା କଲେ ବାପା-ମାଆ ଗଣିବେ ଜରିମାନା

ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଛନ୍ତି । ଆନ୍ଦୋଳନ ନିଆଁରେ ଜଳୁଛି ଫ୍ରାନ୍ସରୁ ଇଟାଲୀ । ଭାଙ୍ଗାରୁଜା-ପୋଡାଜଳାରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି । ଏହାରି ଭିତରେ ଇଟାଲୀ ସରକାର ସୁରକ୍ଷା ସହ ଜଡିତ ଅନେକ କଠୋର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି।ଭଙ୍ଗାରୁଜା ଏବଂ ଲୁଟପାଟରେ ସାମିଲ ଥିବା ପିଲାମାନଙ୍କ ପାଇଁ ସେମାନଙ୍କ ପିତାମାତାଙ୍କୁ ଆର୍ଥିକ ଭାବେ ଦାୟୀ କରାଯିବ । ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ସ୍ପଷ୍ଟ କରିଛନ୍ତି ଯେ, ଭଙ୍ଗାରୁଜା ଏବଂ ଚୋରି କୌଣସି ବିପ୍ଳବ ନୁହେଁ, ବରଂ ଏହା ଏକ ଜଘନ୍ୟ ଅପରାଧ ।ଯଦି ୫ କିମ୍ବା ତା’ଠାରୁ ଅଧିକ ବ୍ୟକ୍ତିଙ୍କ ଏକ ଗୋଷ୍ଠୀ ପ୍ରଦର୍ଶନ ସମୟରେ ସାବଜନିକ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରନ୍ତି, ତେବେ ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ସର୍ବାଧିକ ୨୦ ହଜାର ୟୁରୋ ଜରିମାନା ହୋଇପାରେ । ପ୍ରଦର୍ଶନ ସମୟରେ ମୁହଁ ଘୋଡ଼ା ହୋଇଥିଲେ କିମ୍ବା କାହାକୁ ଶାରୀରିକ ଆଘାତ ଲାଗିଥିଲେ ସଜା ଆହୁରି ଅଧିକ କଡ଼ା ହେବ । କ୍ଷତିର ତୁରନ୍ତ ଭରଣା କରିବାକୁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି । ୧୪ ରୁ ୧୭ ବର୍ଷ ବୟସର ଯୁବକମାନେ ଯଦିଓ କୌଣସି ଅପରାଧ କରିନାହାନ୍ତି, ତଥାପି ସେମାନେ ବିପଦଜନକ ବୋଲି ପ୍ରମାଣ ମିଳେ, ପୁଲିସ ସେମାନଙ୍କୁ ଅଟକ ରଖିପାରିବ ।ରିପୋର୍ଟ ଅନୁସାରେ, ଉତ୍ତର ଇଟାଲୀର ଅନେକ ସହରରେ ହିଂସା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଆର୍ଥିକ ରାଜଧାନୀ ଭାବେ ଜଣାଶୁଣା ମିଲାନ ବି ରହିଛି । ଏଠାରେ ମୁଖ୍ୟତଃ ଆନ୍ଦୋଳନକାରୀ ଯୁବକମାନେ ଦୋକାନର ଝରକା ଭାଙ୍ଗିଥିଲେ, ଦୋକାନ ଲୁଟ୍ କରିଥିଲେ ଏବଂ ପୁଲିସ ଉପରେ ଆକ୍ରମଣ କରିଥିଲେ।

You might also like