୧୦ ମିନିଟ୍‌ରେ ଅର୍ଡର ଡେଲିଭରିକୁ ନେଇ କଠୋର ହେଲେ କେନ୍ଦ୍ର ସରକାର

କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ ‘୧୦-ମିନିଟ ଡେଲିଭରି’ ଦାବିକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।ସୂତ୍ର ଅନୁସାରେ, ବ୍ଲିଙ୍କଇଟ୍ ପରେ ଅନ୍ୟ କ୍ଵିକ୍ ଇ-କମର୍ସ କମ୍ପାନୀ ମଧ୍ୟ ସମାନ ଘୋଷଣା କରିବେ ବୋଲି ଆଶା କରାଯାଉଛି । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ସମସ୍ତ କ୍ଵିକ୍ ଇ-କମର୍ସ କମ୍ପାନୀ ପ୍ରତିଶ୍ରୁତି ଦେଇ କହିଛନ୍ତି ସେମାନେ ବ୍ରାଣ୍ଡର ବିଜ୍ଞାପନ, ସୋସିଆଲ୍ ମିଡିଆରୁ ୧୦ ମିନିଟ୍ ଡେଲିଭରି ସମୟ ସୀମାକୁ ପ୍ରତ୍ୟାହାର କରିବେ ।

ସୂଚନା ଅନୁସାରେ, କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ ବ୍ଲିଙ୍କଇଟ୍‍, ଜେପ୍ଟୋ, ସ୍ଵିଗି ଓ ଜୋମାଟୋର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ୧୦ ମିନିଟ୍ ସମୟ ସୀମା ହଟାଇବା ଲାଗି କହିଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ । ଯେଉଁଥିରେ ସମସ୍ତ କମ୍ପାନୀ ସହମତି ମଧ୍ୟ ଦେଇଛନ୍ତି ।ଗତ କିଛି ସପ୍ତାହ ମଧ୍ୟରେ, ଗିଗ କର୍ମଚାରୀ ସଂଘଗୁଡ଼ିକ ବଡ଼ ଧରଣର ପ୍ରତିବାଦ ଏବଂ ଧର୍ମଘଟ କରିଛନ୍ତି। ସେମାନେ ୧୦-୨୦ ମିନିଟର ଅତି-ଦ୍ରୁତ ଡେଲିଭରି ମଡେଲକୁ ଅସୁରକ୍ଷିତ ବୋଲି ବର୍ଣ୍ଣନା କରିଛନ୍ତି। କାରଣ ଏହା ଡେଲିଭରି ପାର୍ଟନରମାନଙ୍କୁ ଉଚ୍ଚ ଗତିରେ ଗାଡ଼ି ଚଲାଇବାକୁ ବାଧ୍ୟ କରେ, ଯାହା ଫଳରେ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଏ। ଏପରିକି ୟୁନିଅନଗୁଡ଼ିକ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ (ଡିସେମ୍ବର ୩୧, ୨୦୨୫) ଧର୍ମଘଟ କରିଥିଲେ ଏବଂ ଶ୍ରମ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ସରକାର ଏହି ଚିନ୍ତାଗୁଡ଼ିକୁ ଗମ୍ଭୀରତାର ସହ ନେଇଥିଲେ ଏବଂ କମ୍ପାନୀଗୁଡ଼ିକ ସହିତ ଆଲୋଚନା କରିଥିଲେ। ଏହି ପଦକ୍ଷେପ ଡେଲିଭରି କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି।

You might also like