ଚିନ୍ତା ବଢାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ରାଜଧାନୀ ଭୁବନେଶ୍ୱରରେ ବଢିଲା ଗ୍ୟାସ ଟେନସନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶାରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ। ହାଣ୍ଡିଶାଳରେ ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ପାଇଁ ଲୋକେ ଛଟପଟ। ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ୍ ପାଇଁ ରାତିରୁ ଲମ୍ଵା ଲାଇନ୍।ଭୁବନେଶ୍ବର ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ରୋଷେଇ ପାଇଁ ଘରେ ଗ୍ୟାସ ନାହିଁ। ଲୋକେ ହଇରାଣ ହେଉଛନ୍ତି । ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇ ପାରିନି । ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଥିବା ଅଭିଯୋଗ କରିଛନ୍ତି ।ଯୁଦ୍ଧ ସ୍ଥିତିରେ ଦେଶରେ ଏଲ୍ପିଜି ଅଭାବ ଆଶଙ୍କା ଉପୁଯିଛି । ଗ୍ୟାସ ଦର ୬୦ ଟଙ୍କା ବଢ଼ିଗଲାଣି । ବଜାରରେ ଏକ ପ୍ରକାର ଭୟର ବାତାବରଣ । ଲୋକେ ଆତଙ୍କିତ ଅବସ୍ଥାରେ । ବଜାରରୁ ଅଧିକ ସିଲିଣ୍ଡର ଉଠାଇ ଦେବାକୁ ଏଜେନ୍ସିଗୁଡ଼ିକ ଆଗରେ ଭିଡ଼ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କଳାବଜାରୀକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଗୋଟିଏ ସିଲିଣ୍ଡର ବୁକ୍ କରିବାର ୨୧ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ପାଇଁ ବୁକିଂ ହୋଇପାରୁଥିଲା । ଏବେ ଏହାକୁ ୨୫ ଦିନକୁ ବଢ଼ାଇ ଦେଇଛନ୍ତି ସରକାର । ସମସ୍ତଙ୍କୁ ସମାନ ପରିମାଣରେ ରନ୍ଧନ ଗ୍ୟାସ ଯୋଗାଇଦେବା ଏହାର ଉଦ୍ଦେଶ୍ୟ । ସେହିଭଳି କୋରାପୁଟ ଜିଲ୍ଲା ଲମତାପୁଟରେ ପେଟ୍ରୋଲ ଓ ଡିଜେଲ ସଙ୍କଟ। ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ମିଳୁନଥିବା ଅଭିଯୋଗ ହୋଇଛି।ତେଲ ନଥିବାରୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି । ଫଳରେ ଗାଡ଼ିଚାଳକ ସଂଗୀନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଗାଡ଼ି ଧରି ପମ୍ପକୁ ଆସୁଥିବାବେଳେ ନିରାଶ ହୋଇ ଫେରୁଛନ୍ତି। ପେଟ୍ରୋଲ ଅଭାବରୁ ଅନେକ ଗାଡ଼ି ମଝି ରାସ୍ତାରେ ଅଟକି ରହିଛି।

You might also like