ଦିଲ୍ଲୀକୁ ସୁରକ୍ଷା ଦେବ ସ୍ୱଦେଶୀ ଡ୍ରୋନ୍-ଯୁଦ୍ଧ ବିମାନ

ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌କୁ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରକ୍ଷା କରିବା ପାଇଁ ଭାରତ ବର୍ତ୍ତମାନ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିବାକୁ ଯାଉଛି।ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ନୂଆ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱିପନ୍ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ପ୍ରସ୍ତୁତ ହେବ। ଏହି ସିଷ୍ଟମର ବଡ଼ ଭାଗରେ ଡିଆର୍‌ଡିଓ ଦ୍ୱାରା ବିକଶିତ କ୍ୟୁଆର୍‌ଏସ୍ଏଏମ୍ ମିସାଇଲ ଏବଂ ଭିଏସ୍ଏଚ୍ଓଆର୍‌ଏଡିଏସ୍ ରହିବ । ଏଥିସହ ବହୁ ପ୍ରକାରର ସେନ୍ସର, ରାଡାର, ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ସିଷ୍ଟମ ଯୋଡ଼ାଯିବ । ଏହା ଦ୍ୱାରା ବିପଦ ଉପରେ ତୁରନ୍ତ ନଜର ରଖାଯାଇପାରିବ । ପୂରା ସିଷ୍ଟମକୁ ଭାରତୀୟ ବାୟୁସେନା ପରିଚାଳିତ କରିବ । ଅଗଷ୍ଟ ୨୩ରେ ଆଇଏଡିଡବ୍ଲ୍ୟୁଏସ୍‌ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲ୍ୟୁଏସ୍ ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ଶତ୍ରୁର ଆକାଶ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପରିକଳ୍ପିତ ହୋଇଛି। ଏହାକୁ ସୁଦର୍ଶନ ଚକ୍ର ମିସନର ଏକ ଅଂଶ ଭାବରେ ବିବେଚନା କରାଯାଏ। ଏହି ପ୍ରଣାଳୀ ‘ପଙ୍ଗପାଳ’ (ଏକାଧିକ ଡ୍ରୋନ୍ ଏକାଠି ଛାଡିବା) ଆକ୍ରମଣରୁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିବ।

You might also like