IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଉଷା ପାଢ଼ୀଙ୍କୁ ଇଡ୍କୋ (IDCO) ଅଧ୍ୟକ୍ଷା ଭାବେ ଦାୟିତ୍ୱ ମିଳିଛି। ଏହା ସହିତ ସେ ନଗର ଉନ୍ନୟନ ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଏହା ବ୍ୟତୀତ ସେ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟ ମଧ୍ୟ ତୁଲାଇବେ।
ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କୁ କେବିକେ (KBK) ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଡିଜି ଭାବେ ଦାୟିତ୍ୱ ମିଳିଛି। ଏଥିସହିତ ସେ ଶ୍ରମ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିବେ।ବରିଷ୍ଠ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଛି। ଏଥିସହ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ (SJTA) ଦାୟିତ୍ୱରେ ମଧ୍ୟ ବଜାୟ ରହିବେ। ବର୍ତ୍ତମାନ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ ଦେଓ ରଞ୍ଜନଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ସେହିପରି ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ, ଏନବିଏସ୍ ରାଜପୁତଙ୍କୁ ପରିବହନ ପ୍ରମୁଖ ସଚିବ ସହ OSRTC ଦାୟିତ୍ୱ, ଗିରିଶ ଏସଏନ୍ ଙ୍କୁ OMC ଅଧ୍ୟକ୍ଷ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସାଦୀକ୍ ଆଲମଙ୍କୁ CRUT ର ନୂଆ ଏମ୍ଡି, ମାନ୍ସୀ ନିମ୍ଭାଲଙ୍କୁ ମିଶନ ଶକ୍ତି ବିଭାଗ ସଚିବ, ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ସଚିବ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍ଡି ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମିଳିଛି।