ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଭାଷା ଆମ ଗୌରବ, ଆମ ବୈଭବ । ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ । ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ।ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ ଷଷ୍ଠ ଭାଷା ତଥା ପ୍ରଥମ ଆର୍ଯ୍ୟ ଭାଷା ହେଲା। ତେଣୁ ୨୦୧୫ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରାଯାଉଛି। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଆ ହେଉଛି ଓଡ଼ିଶାର ପ୍ରଶାସନିକ ଭାଷା। ଓଡ଼ିଆ ଭାଷା ଭିତ୍ତିରେ ହିଁ ଓଡ଼ିଶା ପ୍ରଦେଶର ଜନ୍ମ।ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ଶିଳାଲେଖ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଉଦୟଗିରି ହାତୀଗୁମ୍ଫା ଶିଳାଲେଖରୁ ଆରମ୍ଭ କରି ୧୦୫୧ ଖ୍ରୀଷ୍ଟାବ୍ଦର ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଶିଳାଲେଖ ଉର୍‌ଜାମ ଆମକୁ ଆମ ଲିପି ଓ ଭାଷାର କ୍ରମବିକାଶ କଥା ସୂଚାଇ ଦେଇଥାଏ । ଆମ ରାଜ୍ୟ ଓଡିଶା, ସମଗ୍ର ଭାରତବର୍ଷରେ ଏକମାତ୍ର ରଜ୍ୟା ଯେଉଁଠି ପ୍ରାକ୍ ବ୍ରାହ୍ମୀ, ବ୍ରାହ୍ମୀ ଓ ପରବର୍ତ୍ତୀ ବ୍ରାହ୍ମୀ ଲିପିର ସନ୍ଧାନ ମିଳିଛି ।ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଓ ପରିବ୍ରାଜକମାନଙ୍କ ବିବରଣୀରେ ଉଲ୍ଲେଖ ଥିବା କଳିଙ୍ଗ ଦେଶ ଓ ଉଡ୍ର ଭାଷାର ତଥ୍ୟ ସ˚ଗ୍ରହ କରି ଓଡ଼ିଆ ଭାଷାର ଐତିହାସିକ ପ୍ରାଚୀନତା ସିଦ୍ଧ କରାଯାଇଥିଲା।

You might also like