ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ ! ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ
କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଜିଲା ଶିଶୁ ମଙ୍ଗଳ ସମିତି (CWC)ର ହସ୍ତକ୍ଷେପ କ୍ରମେ ପୁଲିସ ଚଢ଼ଉ କରି ଉଭୟ ମା’ ଓ ଶିଶୁଙ୍କୁ ଉଦ୍ଧାର କରିଛି।। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି। ସୂଚନାମୁତାବକ ନାବାଳିକା ଜଣକ କିଛି ମାସ ତଳେ ସ୍କୁଲରୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ ଏବଂ ସେଠାରେ ଜଣେ ତାଙ୍କ ସହ ବଳାତ୍କାର କରିଥିଲା। ଭୟରେ ନାବାଳିକା ଜଣକ ଏ ବିଷୟରେ କାହାକୁ କହିନଥିଲେ।
ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ପାରି କଟକ ସଦର ପ୍ରତାପନଗରୀସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ। ଚଳିତ ମାସ ୧୪ ତାରିଖ ରାତିରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ଓ ସଦର ଥାନା ପୁଲିସ ଉକ୍ତ ହସ୍ପିଟାଲରେ ଚଢ଼ଉ କରିଥିଲା। ଉଭୟ ନାବାଳିକା ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ଶିଶୁପୁତ୍ରକୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ପୀଡ଼ିତାଙ୍କୁ ଥଇଥାନ କରାଯାଇଛି।ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।