ଭୁବନେଶ୍ୱର (ରାଜ୍ୟକାହାଣୀ)ସେ ମଣିଷ ଯେତିକି ବଡ଼ ଥିଲେ, ତାଙ୍କ ହୃଦୟ ଥିଲା ତାଠାରୁ ଅଧିକ ବିଶାଳ। କୋଟି କୋଟି ଟଙ୍କାର ମାଲିକ ହୋଇ ବି ସାଧାରଣ ଲୋକଙ୍କ ପ୍ରତି ତାଙ୍କର ଥିଲା ଅନେକ ଆତ୍ମୀୟତା। ହଁ ଆମେ କହୁଛୁ ବିଶିଷ୍ଠ ଶିଳ୍ପପତି ରତନ ଟାଟାଙ୍କ କଥା। ଆଉ ଚର୍ଚ୍ଚା ଏବେ ରତନ ଟାଟାଙ୍କ ଶେଷ ୱିଲ ବା ଇଚ୍ଛାପତ୍ରକୁ ନେଇ। ଆରପାରିକୁ ଯିବା ଆଗରୁ ସେ ଛାଡିଯାଇଛନ୍ତି 10ହଜାର କୋଟି ଟଙ୍କାର ସଂପତ୍ତି। ସେଥିରୁ କାହାକୁ କେତେ ଅଂଶ ମିଳିବ, ସେ ବାବଦରେ ନିଜ ୱିଲରେ ପ୍ରକାଶ ମଧ୍ୟ କରିଛନ୍ତି।
ତାଙ୍କର ଅତି ଘନିଷ୍ଠ ବନ୍ଧୁ ଯୁବ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡ଼ୁ, ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍ ଓ ଡିଆନା ଜିଜିଭୟଙ୍କ ନାଁ ରହିଛି ୱିଲରେ। କେବଳ ସେତିକି ନୁହେଁ, ଦୀର୍ଘବର୍ଷର ନିଜ ରୋଷେୟା ରାଜନ ଶ’, ଘରୋଇ ସହାୟକ ସୁବୈୟା ଏବଂ ପୋଷା କୁକୁର ଟିଟୋ ମଧ୍ୟ ପାଇବ ସଂପତ୍ତିର ଭାଗ। ପୁରୁଣା ପୋଷା କୁକୁରର ମୃତ୍ୟୁ ପରେ ଗତ ୬ ବର୍ଷ ହେଲା ଏକ ଜର୍ମାନ ସେଫର୍ଡ ଟିଟୋକୁ ପାଳିଥିଲେ ରତନ ଟାଟା। ତାର ଲାଳନପାଳନ ଦାୟିତ୍ୱ ରୋଷେୟା ରାଜନକୁ ଦେବା ସହିତ, ସଂପତ୍ତିର କିଛି ଅଂଶ ବି ୱିଲରେ ଉଲ୍ଲେଖ କରିଛନ୍ତି ରତନ ଟାଟା। ସେହିପରି ଦୀର୍ଘ ୩୦ ବର୍ଷ ହେଲା ତାଙ୍କ ଘରୋଇ ସହାୟକ ଥିବା ସୁବୈୟା ପାଇଁ ମଧ୍ୟ ୱିଲରେ ବ୍ୟବସ୍ଥା ରଖିଛନ୍ତି।
ତାଙ୍କ ଏକଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ, ଶାନ୍ତନୁଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ିଛନ୍ତି ରତନ ଟାଟା। ଚଳିତ ମାସ ୯ ତାରିଖରେ ୮୬ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ ହୋଇଛି। ତାଙ୍କର ୧୦ହଜାର କୋଟି ଟଙ୍କାର ସଂପତ୍ତି ଭିତରେ ମହାରାଷ୍ଟ୍ରର ଆଲିବାଗ ବେଳାଭୂମିରେ ୨ହଜାର ବର୍ଗଫୁଟର ବଙ୍ଗଳା, ମୁମ୍ବାଇ ଜୁହୁରେ ୨ ମହଲା କୋଠା, ୩୫୦ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ଟାଟା ସନ୍ସର ୦.୮୩ ପ୍ରତିଶତ ଅଂଶ ସାମିଲ ରହିଛି।