ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍‌ ପକାଇଲା ଝିଅ 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାଲିଗୁଡା ବାପ ପୁଅଙ୍କୁ ଏସିଡ୍ ମାଡ଼ ଘଟଣାର ପର୍ଦ୍ଦାଫାସ । ସାମ୍ନାକୁ ଆସିଲା ବାପା-ପୁଅଙ୍କୁ ଏସିଡ୍ ମାଡ଼ର ସତ । ନିଜ ଜନ୍ମକଲା ଝିଅ ହିଁ ବାପା ଓ ଭାଇକୁ ଏସିଡ୍ ଆକ୍ରମଣ କରିଥିବା ଜଣାପଡିଛି।  କାରଣ ଝିଅର ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲା ବାପା । ତେଣୁ ରାସ୍ତାରୁ କଣ୍ଟା ସଫା କରିବାକୁ ପ୍ରେମିକ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା ଝିଅ। ଆଉ ଶେଷରେ ନିର୍ଦ୍ଦୟ ଝିଅ ବାପା ସମେତ ଛୋଟ ଭାଇ ଉପରେ ପକାଇଥିଲା ଏସିଡ । ଏସିଡ ମାଡ଼ରେ ଗୁରୁତର ବାପପୁଅ ଏବେ ମେଡିକାଲ ବେଡରେ ଛଟପଟ ହେଉଥିବା ବେଳେ ଝିଅ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ୍‌।ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳିଙ୍କ ମା’ଙ୍କ ମୃତ୍ୟୁ ପରେ ମୋହନ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଘରେ ଅଶାନ୍ତି ଲାଗି ରହିବାରୁ ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ଗାଁରେ ଏକ ଅଲଗା ଘରେ ରହୁଥିଲେ। ଇତିମଧ୍ୟରେ ବିଜୟଙ୍କ ସହ ପୁଷ୍ପାଞ୍ଜଳି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ମୋହନ ଏହାକୁ ଗ୍ରହଣ କରି ପାରୁ ନ ଥିଲେ। ତେଣୁ ବାପାଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ଅପରପକ୍ଷରେ ଅସୁସ୍ଥତାରୁ ଦେଢ଼ମାସ ପୂର୍ବେ ବିଜୟଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୋହନ ଗୁଣିଗାରେଡି କରି ମା’ଙ୍କୁ ମାରିଦେଇଥିବା ବିଜୟଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ପୁଷ୍ପାଞ୍ଜଳିଙ୍କ ସହ ମିଶି ମୋହନଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ସେମାନେ ଏସିଡ୍‌ ପିଙ୍ଗି ମୋହନଙ୍କୁ ଜୀବନରେ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ। ଏସିଡ୍‌ କେଉଁଠୁ ଆସିବ, ଆଉ କିପରି ଫିଙ୍ଗାଯିବ ତାହା ମଧ୍ୟ ଯୋଜନା ହୋଇଥିଲା । ବିଜୟ କୋଲକତାରୁ ଏସିଡ୍‌ ଆଣି ପୁଷ୍ପାଞ୍ଜଳିଙ୍କୁ ଦେଇଥିଲେ। ପୁଷ୍ପାଞ୍ଜଳି ସୁଯୋଗ ଦେଖି ଗତ ଶୁକ୍ରବାର ରାତି ପ୍ରାୟ ୨ଟାରେ ବାପା ତାଙ୍କ ପାଖରେ ଶୋଇଥିବା ସାବତ ଭାଇ ଅନୁଜଙ୍କ ଉପରେ ପୂର୍ବ ଯୋଜନା ପ୍ରକାରେ ଏସିଡ୍‌ ଫିଙ୍ଗି ଦୌଡ଼ି ପଳାଇ ଯାଇଥିଲେ। ଏସିଡ୍‌ ଆକ୍ରମଣ ନେଇ ମୋହନଙ୍କ ଦ୍ୱିତୀୟ ସ୍ତ୍ରୀ ରୁକ୍ମଣୀ ପନ୍ଦର ଦେଇଥିବା ଏତଲା ଆଧାରରେ ତୁମୁଡିବନ୍ଧ ପୋଲିସ ୧୩୪/୨୪ ନମ୍ବରରେ ମାମଲା ରୁଜୁ କରିଥିଲା।ଏହି ଘଟଣାରେ ପୁଲିସ ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣା ପଡିବା ସହ ନିଜ ଝିଅ ଓ ତାର ପ୍ରେମିକା ହିଁ ଏଭଳି କାଣ୍ଡ ଭିଆଇଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି। ପ୍ରେମିକ ନିକଟରୁ ବଳକା ଏସିଡକୁ ପୁଲିସ ଜବତ କରିଛି।

Leave A Reply

Your email address will not be published.

4 + 19 =