ସବୁବେଳେ ଦୁର୍ନୀତି କଥା କହୁଛ, ଦମ ଅଛି ତ ବାନ୍ଧ : ଅରବିନ୍ଦ ମହାପାତ୍ର
ଭୁବନେଶ୍ବର, (ରାଜ୍ୟକାହାଣୀ) ବ୍ୟୟମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ କଡା ସମାଲୋଚନା କରିଛନ୍ତି। ବିଜେଡିର ୨୪ ବର୍ଷର ଶାସନକାଳରେ ଦୁର୍ନୀତି ହୋଇଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ବିଜେପିକୁ ଚ୍ୟାଲେଞ୍ଜ ଦେଇ ସେ କହିଛନ୍ତି, ସବୁବେଳେ ଦୁର୍ନୀତି କଥା କହୁଛନ୍ତି, ଦମ ଅଛି ତ ବାନ୍ଧ। କାହାକୁ ଜଣେ ବାନ୍ଧିକି ଦେଖାନ୍ତୁ।
ସୋମବାର ବ୍ୟୟମଞ୍ଜୁରୀ ବିଲ ଆଲୋଚନା ବେଳେ ଗୃହରେ ବିରୋଧୀ ଓ ଶାସକ ଦଳର ସଦସ୍ୟ ପରସ୍ପରକୁ ଆକ୍ଷେପ ପ୍ରତ୍ୟାକ୍ଷେପ କରୁଥିଲେ । ଏହାରି ମଧ୍ୟରେ ଅରବିନ୍ଦ ମହାପାତ୍ର କହିଥିଲେ ଯେ, ୨୦୦୦ ମସିହାରେ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ କଲା । ୨୦୦୯ରୁ ୨୦୧୪ ବିଜେପି ନା କେନ୍ଦ୍ରରେ ନା ରାଜ୍ୟରେ ସରକାରରେ ଥିଲା । ୨୦୧୪ ରେ ବିଜେପି କେନ୍ଦ୍ରରେ ସରକାରକୁ ଆସିବା ପରେ ସେତେବେଳ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାରଙ୍କୁ ବାରମ୍ବାର ପ୍ରଶଂସା କରି ଆସିଛନ୍ତି । ଏପରିକି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବହୁ ରୂପାନ୍ତରଣ ଆସିଥିବା କହିଛନ୍ତି । ନୀତି ଆୟୋଗ ମଧ୍ୟ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । ଆପଣ ସବୁବେଳେ ବିଜେଡି ସରକାର ଦୁର୍ନୀତି କରିଥିବା କହୁଛନ୍ତି । କେନ୍ଦ୍ରରେ ୨୦୧୪ ପରେ ବିଜେପି ସରକାରକୁ ଆସିଲାଣି । ଆପଣ ଚାହିଁଥିଲେ ତଦନ୍ତ କରି ପାରିଥାନ୍ତେ । କଣ ପାଇଁ ଆପଣ ତଦନ୍ତ କରୁନାହାନ୍ତି । ୨୪ ବର୍ଷର ଦୁର୍ନୀତି କଥା କହୁଛନ୍ତି । ବହୁତ ଉଦାହରଣ ଦେଉଛନ୍ତି । ନିଜେ ଉଦାହରଣ ସୃଷ୍ଟି କରନ୍ତୁ । କାହାକୁ ଜଣକୁ ବାନ୍ଧିକି ଦେଖାନ୍ତୁ । ବାରମ୍ବାର ଗୃହରେ ବିଜେପି ବିଧାୟକମାନେ ପୀଡ଼ିତା ମାନଙ୍କ ପ୍ରତି ଅନ୍ୟାୟ ହେଉଥିବା କହିଛନ୍ତି । ଏପରି କଥାକୁ ଉଖୁରାଇ ସେମାନଙ୍କୁ କଷ୍ଟ ଦେଉଛନ୍ତି । ଯଦି ପାରିବେ ଆପଣ ସବୁ କେଶକୁ ରି ଓପନ କରନ୍ତୁ । ଯିଏ ଦୋଷୀ ସିଏ ଦଣ୍ଡ ପାଉ। ଯଦି ବିଜେପି ସରକାର ସଫଳ ହେବାକୁ ଚାହୁଁଛନ୍ତି, ତାହେଲେ ବିଜେଡି ପ୍ରେମ ଛାଡ଼ନ୍ତୁ । ଗୋଲାପ ଫୁଲ ଦେଇ ଆଉ ଆଇ ଲଭ୍ ବିଜେଡି, ଆଇ ହେଟ ବିଜେଡି ଆଉ କୁହନ୍ତୁ ନାହିଁ ।