ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪୩ ଏକର ଜମି ଚିହ୍ନଟ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟ ମଧ୍ୟରେ ୨୪ଟି ଜିଲ୍ଲାରେ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତି କରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪୩ ଏକର ପରିମିତ ଜମି ରହିଥ‌ିବାର ଚିହ୍ନଟ କରାଯାଇଅଛି । ତନ୍ମଧ୍ୟରୁ ୩୮ହଜାର ୦୬୧.୮୯୨ ପରିମିତ ଜମିର ସଂଶୋଧିତ ସ୍ବତ୍ତ୍ଵଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଅଛି । ବିଧାୟକ ସୁଦର୍ଶନ ହରିପାଲଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଉପରୋକ୍ତ ତଥ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବାହାରେ ଅନ୍ୟ ୬ ଗୋଟି ପ୍ରଦେଶରେ ମହାପ୍ରଭୁଙ୍କର ଏ.୩୯୫.୨୫୨ ପରିମିତ ଜମି ରହିଥ‌ିବାର ଚିହ୍ନଟ କରାଯାଇଅଛି । ବେଆଇନ୍ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ବାରା ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇଛି । ଓଡିଶା ରାଜ୍ୟ ମଧ୍ୟରେ ୭ଗୋଟି ଜିଲ୍ଲାରେ ଥିବା ଉକ୍ତ ୧୬୯.୮୬୧୬୭ ଏକର ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ବାରା କରାଯାଇଥିବା ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା 16-A(1) ଅନୁଯାୟୀ ୯୭୪ ଗୋଟି ବେଆଇନ ଅବରୋଧ ମୋକଦ୍ଦମା ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଅଛି ।

You might also like