ପୋଷା କୁକୁର ସହ ସଂସଦରେ ପହଞ୍ଚିଲେ କଂଗ୍ରେସ ଏମ୍‌ପି, ଜାଣନ୍ତୁ କହିଲେ କ’ଣ?

ପୋଷା କୁକୁରକୁ ସାଥୀରେ ଧରି ସଂସଦ ଭବନରେ ପହଞ୍ଚିଲେ ସାଂସଦ । ସଂସଦର ଶୀତକାଳୀନ ଅଧିବେଶନ ଆଜି (ସୋମବାର) ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ହିଁ ବିବାଦରେ ଫସିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ।ବିଜେପି ଏହାକୁ ନିୟମର ଉଲ୍ଲଂଘନ କହି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏବେ ସଂସଦ ପରିସରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି କଥାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଏଥିରେ କୌଣସି ସାଂସଦ ତାଙ୍କ ପୋଷା ପଶୁଙ୍କୁ ନେଇ ସଂସଦ ପରିସରକୁ ଆସି ପାରିବେ କି ନା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଯେତେବେଳେ ଗଣମାଧ୍ୟମ ରେଣୁକା ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରିଥିଲେ, ସେ ପାଲଟା ଜବାବ ଦେଇ କହିଥିଲେ ଯେ ଏହି ଘଟଣାକୁ ଅଯଥାରେ ବିବାଦକୁ ଅଣାଯାଉଛି । ସେ କହିଛନ୍ତି, ଏଥିରେ କ’ଣ ସମସ୍ୟା ଅଛି । ଯଦି ଏକ ମୂକ ପଶୁ ଭିତରକୁ ପଶିଯାଏ ତେବେ ଏଥିରେ ବଡ଼ କଥା କ’ଣ ? ଏହା ଛୋଟ ପଶୁଟିଏ ଏବଂ ଏହା କାମୁଡ଼ିବ ନାହିଁ । ରେଣୁକାଙ୍କ ଏହି ବୟାନ ବିବାଦକୁ ଆହୁରି ବଢ଼ାଇ ଦେଇଛି ।ବିରୋଧୀ ଦଳ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟର ମଧ୍ୟ ଜବାବ ଦେଇଛନ୍ତି ରେଣୁକା ଚୌଧୁରୀ। ସେ ପଚାରିଛନ୍ତି କି, ଯଦି ସରକାର ଅଧିବେଶନ ବିଷୟରେ ଏତେ ଚିନ୍ତିତ, ତେବେ ନିର୍ଦ୍ଧାରିତ ଏକ ମାସର ଅଧିବେଶନକୁ କେବଳ ପନ୍ଦର ଦିନକୁ କାହିଁକି ହ୍ରାସ କରାଯାଇଛି ? ସେ ପଚାରିଛନ୍ତି ,”ଆମେ ଗୃହରେ କେଉଁ ପ୍ରସଙ୍ଗ ଉଠାଇବୁ ସେ ବିଷୟରେ ଆପଣ କାହିଁକି ଚିନ୍ତିତ ? ଯଥେଷ୍ଟ ପ୍ରସଙ୍ଗ ନଥିଲା କି ? ତେବେ ଅଧିବେଶନକୁ କାହିଁକି ସଂକ୍ଷିପ୍ତ କରାଯାଇଛି ?”ତେବେ ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ଯେ ଏହା ସିଧାସଳଖ ବିଶେଷାଧିକାରର ଉଲ୍ଲଂଘନ। ସେ କହିଛନ୍ତି ଯେ ସାଂସଦ ଦେଶର ନୀତି ଉପରେ ଗମ୍ଭୀର ଆଲୋଚନା ଲାଗି ଏକ ସ୍ଥାନ, ନା କି ପୋଷା ଜନ୍ତୁଙ୍କୁ ଆଣିବାର ସ୍ଥାନ। ତାଙ୍କର କହିବା କଥା ହେଉଛି ଏହା ଦ୍ୱାରା ସଂସଦର ଗାରିମାକୁ ଠେସ୍ ଲାଗିଛି। ଏଣୁ ରେଣୁକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

You might also like