ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ

ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଲାଲ୍‌କିଲ୍ଲା ନିକଟ ଏକ କାର୍‌ରେ ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍‌ । ଆଉ ୩ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଛାନଭିନ୍‌ ଆରମ୍ଭ କରିଛି ।ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୨୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟକୁ ଯେପରି ବର୍ଣ୍ଣନା କରିଛନ୍ତି, ତାହା ଶୁଣି ମନ ବିଚଳିତ ହୋଇଯିବ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ କେଉଁଠି ମଣିଷର ହାତ ପଡ଼ିଛି ତ, କେଉଁଠି ଫୁସଫୁସ । କାରରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ି ସହିତ ପାଖରେ ଠିଆ ହୋଇଥିବା ଲୋକଙ୍କ ଶରୀରର ଅଂଶ କିଛି ମିଟର ଦୂରରେ ଛିଟିକି ପଡ଼ିଥିଲା । ପୋଲିସ ଶରୀରର ଅଂଶଗୁଡ଼ିକୁ ପଲିଥିନରେ ପ୍ୟାକ୍ କରି ତଦନ୍ତ ପାଇଁ ପଠାଇଥିଲା । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି । ଏହି ଅଘଟଣ ପରେ ଦିଲ୍ଲୀ ସମେତ ମୁମ୍ୱାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ତା ସହ ଦେଶର ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି ।ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ସବୁ ଭାଇଟାଲ ଇନଷ୍ଟାଲେସନରେ ଜାରି ହୋଇଛି ଆଲର୍ଟ। ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂ କୁ ଜୋରଦାର କରିଛି ପୋଲିସ ।

You might also like