ବାଲିଯାତ୍ରାରେ ପୁଣି ଚାଲିବ ଦୋଳି ! କଟକଣା ହଟାଇଲା ପ୍ରଶାସନ
ଭୁବନେଶ୍ଵର( ରାଜ୍ୟ କାହାଣୀ ) ବାଲିଯାତ୍ରାରେ ଦୋଳି ଚାଳନା ଉପରେ ଲାଗିଥିବା କଟକଣା ହଟାଇଛି ପ୍ରଶାସନ। ଏଣିକି ନିର୍ଦ୍ଧାରିତ ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁପାଳନ କରି ଦୋଳି ଚାଳନା କରାଯାଇପାରିବ। ଦୋଳିର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦୋଳିରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।ସୂଚନାଥାଉକି, ଗତକାଲି ରାତିରେ ବାଲିଯାତ୍ରାରେ ରାମ ଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୋଳିରେ ବସିଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଉଦ୍ୟମ କରିବା ସମୟରେ ସେ ତଳକୁ ଖସି ପଡ଼ିଥିବା କୁହାଯାଉଛି। ଏଥିରେ ତାଙ୍କ ନାକ ଓ କାନରେ ଆଘାତ ଲାଗିବା ସହ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।ତୁରନ୍ତ ତାଙ୍କୁ ବାଲିଯାତ୍ରା ପଡ଼ିଆରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଅନ୍ୟପଟେ ଯୁବକ ଜଣକ କେଉଁ ପରିସ୍ଥିତିରେ ଦୋଳିରୁ ଖସି ପଡ଼ିଲେ ? ତାହାର ନିରପେକ୍ଷ ତଦନ୍ତ କରିବା ସହ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି।