ବିରୋଧୀ ଦଳ ନେତା ପଦରୁ ହଟିଲେ ଋତବ୍ରତ ବାନାର୍ଜୀ
ପଶ୍ଚିମବଙ୍ଗ ରାଜନୀତିରେ ଝଡ଼ । ଟିଏମସି ବିଦ୍ରୋହୀ ଶିବିରକୁ ଝଟକା ଦେଲେ କୋଲକାତା ହାଇକୋର୍ଟ । ବିଧାନସଭାରେ ବିରୋଧୀ ଦଳ ନେତା (LoP) ଭାବରେ ଋତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ଶୁକ୍ରବାର ଦିନ କୋର୍ଟ ରଦ୍ଦ କରିଦେଇଛନ୍ତି।ଏଥିସହ ଆଗାମୀ ୧୦ ଦିନ ମଧ୍ୟରେ ଏହି ପଦ ପାଇଁ ନୂଆ ନିଷ୍ପତ୍ତି ନେବାକୁ ବାଚସ୍ପତି ରଥିନ୍ଦ୍ର ବୋଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।କେବଳ ଋତବ୍ରତ ନୁହନ୍ତି, ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ଅଖରୁଜ୍ଜମାନଙ୍କ ନିଯୁକ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି ଜଷ୍ଟିସ୍ କୃଷ୍ଣ ରାଓ । ଉଭୟ ପଦବୀକୁ ନେଇ ୧୦ ଦିନ ମଧ୍ୟରେ ପୁନର୍ବିଚାର କରିବାକୁ ବାଚସ୍ପତିଙ୍କୁ କହିଛନ୍ତି ଅଦାଲତ ।ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଗୋଷ୍ଠୀର ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରି ଅଦାଲତ ଏହି ରାୟ ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ର ନେତା ଋତବ୍ରତ ବାନାର୍ଜୀଙ୍କୁ ବାଚସ୍ପତି ବିରୋଧୀ ଦଳ ନେତା ଭାବରେ ମାନ୍ୟତା ଦେବା ନିଷ୍ପତ୍ତିକୁ ଶୋଭନଦେବ ଚ୍ୟାଲେଞ୍ଜ କରିଥିଲେ।