ମହଙ୍ଗା ପଡ଼ିଲା ଟାୱାର ଉପରେ ଚଢ଼ି ପ୍ରତିବାଦ, ୩ ବିଦ୍ୟୁତ ଠିକା କର୍ମଚାରୀ ଗିରଫ

ଭୁବନେଶ୍ୱର ( ରାଜ୍ୟକାହାଣୀ )ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିବା ମହଙ୍ଗା ପଡ଼ିଛି । ସହିଦନଗର ଥାନା ପୋଲିସ ଏହି ଘଟଣାରେ ୩ ଜଣ ବିଦ୍ୟୁତ୍ ଠିକା କର୍ମଚାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ନୟାଗଡ଼ ସଦର ଥାନା ଅଞ୍ଚଳର ଚନ୍ଦ୍ରମଣି ପ୍ରଧାନ, ଚନ୍ଦକା ଅଞ୍ଚଳର ସଦାନନ୍ଦ ବେହେରା ଓ ଅନୁଗୁଳ କିଶାନନଗରର ରାକେଶ ପ୍ରଧାନ ।ଏମାନେ ଆଚାର୍ଯ୍ୟ ବିହାରରେ ଚଳନ୍ତା ୩୩ KV High-Tension ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ଏହି ଘଟଣାରେ ସହିଦନଗର ଥାନାରେ ବିଏନ୍‌ଏସ୍‌ ଦଫା ୧୨୫, ୧୩୨, ୨୨୧, ୨୨୬, ୨୮୫, ୩୫୧(୨)(୩), ୩(୫) ଏବଂ ESMA ଆକ୍ଟ ଧାରା ୬, ୭ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନେ ଜାଣିଶୁଣି ଲୋକଙ୍କ ଜୀବନକୁ ବିପଦରେ ପକାଇବା, ସରକାରୀ କର୍ମଚାରୀଙ୍କ ଆଇନସମ୍ମତ ନିର୍ଦ୍ଦେଶ ଅବମାନନା କରିବା, ରାସ୍ତା ଅବରୋଧ କରିବା ଏବଂ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଧମକ ଦେବା ଭଳି ଅଭିଯୋଗ ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ସହିଦନଗର ଥାନାକୁ ଏନେଇ ସୂଚନା ମିଳିଥିଲା । ନିଜକୁ ଟିପିସିଓଡିଏଲ୍‌ର ପୂର୍ବତନ କର୍ମଚାରୀ ବୋଲି ଦାବି କରୁଥିବା ୩ ଜଣ ବ୍ୟକ୍ତି ଆଚାର୍ଯ୍ୟ ବିହାର ଛକରେ ଥିବା ୩୩ କେଭି ବିଦ୍ୟୁତ୍ ଟାୱାର ଉପରେ ଚଢ଼ିଯାଇଥିଲେ । ସେମାନଙ୍କ ଦାବି ପୂରଣ ହୋଇନଥିବା ଅଭିଯୋଗ କରି ଟାୱାର ଉପରେ ଚଢ଼ିବା ସହ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ, ପୋଲିସ ଓ ଆମ୍ବୁଲାନ୍ସ ସହ ମେଡିକାଲ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନଙ୍କୁ ଟାୱାରରୁ ତଳକୁ ଓହ୍ଲାଇବାକୁ ବାରମ୍ବାର ନିବେଦନ କରାଯିବା ସହ ଏହାର ଭୟାବହତା ସମ୍ପର୍କରେ ସତର୍କ କରାଯାଇଥିଲା । ତଥାପି ସେମାନେ ପୋଲିସର ନିର୍ଦ୍ଦେଶକୁ ଅବମାନନା କରିଥିଲେ ।

You might also like