ଜଗା ଦର୍ଶନ ନାଁରେ ଭକ୍ତଙ୍କୁ ଲୁଟ୍,୩୦ଦିନରେ ବନ୍ଧାହେଲେଣି ୩୦ ଠକ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ମହାପ୍ରଭୁଙ୍କ ଦର୍ଶନ ନାଁରେ ଭକ୍ତଙ୍କୁ ଲୁଟୁଛନ୍ତି ନକଲି ଗୁମାସ୍ତା। ଶୀଘ୍ର ଦର୍ଶନ କରାଇଦେବାର ପ୍ରଲୋଭନ ଦେଖାଇ ମନଇଚ୍ଛା ଟଙ୍କା ଆଦାୟ ସହ ଦୁର୍ବ୍ୟବହାର ଓ ଧମକ ଦେଉଥିବା ଅଭିଯୋଗ।ବହୁଦିନରୁ ଏପରି ଅଭିଯୋଗ ପରେ ସିଂହଦ୍ୱାର ପୋଲିସ ଓ ପୁରୀ ପୋଲିସ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଭକ୍ତଙ୍କୁ ଭଗବାନ ଦେଖାଇବା ନାଁରେ ଠକୁଥିବା ଲୋକଙ୍କୁ ବୁଲି ବୁଲି ଠାବ କରିଛି ପୋଲିସ । ୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସିଂହଦ୍ୱାରଠାରୁ ବଡ଼ଦାଣ୍ଡ, ରେଳ ଷ୍ଟେସନରୁ ବସ୍ଷ୍ଟାଣ୍ଡ, ସବୁଠି ରହିଛି ଏମାନଙ୍କ ନଜର। ବାହାରୁ ଆସୁଥିବା ଭକ୍ତଙ୍କୁ ଶୀଘ୍ର ଦର୍ଶନ, ଭଲ ଦର୍ଶନ ଓ ସ୍ୱତନ୍ତ୍ର ପୂଜା କରାଇଦେବାର ପ୍ରଲୋଭନ ଦେଖାଉଛନ୍ତି। ଆଉ ଏହି ବାହାନାରେ ଆଦାୟ କରୁଛନ୍ତି ମନଇଚ୍ଛା ଟଙ୍କା। କେହି ୫୦୦ ତ ଆଉ କେହି ୧୦୦୦ କିମ୍ବା ତାଠାରୁ ଅଧିକ ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ଗାଳିଗୁଲଜ ସହ ଧମକ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଭକ୍ତ ଭୟରେ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି।ତେବେ ନକଲି ଗୁମାସ୍ତାଙ୍କ ଏଭଳି ଦୌରାତ୍ମ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏହାର ସ୍ଥାୟୀ ସମାଧାନ ପାଇଁ କୌଳିକ ପଣ୍ଡାଙ୍କ ଗୁମାସ୍ତାମାନଙ୍କୁ ପରିଚୟପତ୍ର ଦେବାକୁ ଯୋଜନା କରାଯାଉଛି। ପରିଚୟପତ୍ର ନଥିଲେ କେହି ନିଜକୁ ଗୁମାସ୍ତା ବୋଲି ପରିଚୟ ଦେଇପାରିବେ ନାହିଁ। ଏହାଦ୍ୱାରା ଅସଲି ଓ ନକଲି ଗୁମାସ୍ତାଙ୍କୁ ଚିହ୍ନିବା ସହଜ ହେବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।

You might also like