ଇତିହାସ ରଚିଲା ଭାରତୀୟ ବାୟୁସେନା, ବିଶ୍ୱର ସର୍ବାଧିକ ଉଚ୍ଚତାରେ କଲା IL-76MD ବିମାନର ସଫଳ ଲ୍ୟାଣ୍ଡିଂ

ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ୧୩,୬୨୯ ଫୁଟ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଭାରତୀୟ ବାୟୁସେନାର IL-76MD ହେଭି-ଲିଫ୍ଟ ପରିବହନ ବିମାନ। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ଏହି ବିମାନର ସଫଳ ଅବତରଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ଭାବେ ସାମ୍ନାକୁ ଆସିଛି। ଦିଆଯାଇଥିବା ସୂଚନା ଅନୁସାରେ, ବିଶ୍ୱରେ କୌଣସି IL-76MD ବିମାନ ଏତେ ଉଚ୍ଚତାରେ ଅବତରଣ କରିବାର ଏହା ପ୍ରଥମ ଘଟଣା। ଏହି ସଫଳତା ପଛରେ ରହିଛି ବାୟୁସେନା ପାଇଲଟ୍ ଓ କ୍ରୁ ସଦସ୍ୟଙ୍କ ଅସାଧାରଣ ଦକ୍ଷତା, ସଠିକ୍ ଯୋଜନା ଏବଂ ଉଚ୍ଚକୋଟୀର ବୃତ୍ତିଗତ କୌଶଳ।ଏହି ବିମାନର ଏହା ବିଶ୍ୱର ସର୍ବାଧିକ ଉଚ୍ଚତାରେ ଲ୍ୟାଣ୍ଡିଂ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ଏହି ସଫଳତା ଭାରତର ସାମରିକ ହାୱାଇ ପରିବହନ କ୍ଷମତାକୁ ଆହୁରି ମଜବୁତ କରିବ।ସେନା ଯବାନ, ଯୁଦ୍ଧ ସାମଗ୍ରୀ, ଅତ୍ୟାବଶ୍ୟକ ଉପକରଣ ଓ ଅନ୍ୟାନ୍ୟ ସାମରିକ ସାମଗ୍ରୀ ପରିବହନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚୀନ ସୀମା ନିକଟବର୍ତ୍ତୀ ପୂର୍ବ ଲଦାଖରେ ଅବସ୍ଥିତ ନ୍ୟୋମା ଭାରତ ପାଇଁ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ବଡ଼ ସାମରିକ ପରିବହନ ବିମାନର ଅବତରଣ କ୍ଷମତା ସୀମାନ୍ତ ଅଞ୍ଚଳକୁ ଯବାନ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ସହାୟକ ହୋଇପାରିବ।

You might also like