ମୁରାସୁ ପ୍ରଭାବରେ ଓଡ଼ିଶାରେ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର ( ରାଜ୍ୟକାହାଣୀ )ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’। ସୋମବାର ସୁଦ୍ଧା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ । ସୋମବାର ବିଳମ୍ବିତ ରାତି ଓ ମଙ୍ଗଳବାର ଭୋର୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ମାଡ଼ ହେବ। ଯଦିଓ ଓଡ଼ିଶାରେ ବାତ୍ୟା ପ୍ରଭାବରେ ବିଶେଷ ଜୋର୍ ପବନ ବହିବନି, ତଥାପି ଭୀଷଣ ବର୍ଷିବ।୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ବହିପାରେ ଝଟକା ପବନ । ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍ ଆର୍ ସି । ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୟାଗଡ଼ରେ ମଧ୍ୟ ଘଡ଼ଘଡ଼ି ସହ ଝଟକା ପବନ ଆଶଙ୍କା ରହିଛି ।ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଏବଂ ଝଟକା ପବନ ୫୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲାରେ ବର୍ଷାର ପ୍ରକୋପ ବଢ଼ିପାରେ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ପାଞ୍ଚ ଜିଲ୍ଲା ସହ ପୁରୀ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଜଳ ଜମିବା, ରାସ୍ତାଘାଟରେ ଯାତାୟାତ ସମସ୍ୟା ଓ ବଜ୍ରପାତ ଭଳି ବିପଦ ପ୍ରତି ସତର୍କ ରହିବା ଆବଶ୍ୟକ । ପାଣିପାଗ ବିଭାଗର ସଦ୍ୟତମ ସୂଚନା ଓ ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁସରଣ କରିବାକୁ କୁହାଯାଇଛି ।