ଯୁକ୍ତ ଦୁଇ ପରୀକ୍ଷା ପାଇଁ ନଭେମ୍ବର ୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ CCTV ଲଗାଇବାକୁ ନିର୍ଦ୍ଦେଶ

ଯୁକ୍ତ ଦୁଇ ପରୀକ୍ଷାପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରସ୍ତୁତି ଆରମ୍ଭ କରିଛି । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବା ସହ ପରୀକ୍ଷା ପରିଚାଳନାରେ ସୁରକ୍ଷା, ସ୍ୱଚ୍ଛତା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗତବର୍ଷ ପରୀକ୍ଷା ପରିଚାଳନା ପାଇଁ ୨୧୧ଟି ହବ୍‌ରେ AI କ୍ୟାମେରା ଲଗାଯାଇଥିଲା। ଏହି କ୍ୟାମେରାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରୁଥିବା CHSE ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୬୦ଟି ନୂଆ ପରୀକ୍ଷା କେନ୍ଦ୍ର ବୃଦ୍ଧି ପାଉଥିବାରୁ ଆଉ ୩ଟି ହବ୍‌ ଖୋଲାଯିବ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା CCTV କ୍ୟାମେରା ଲଗାଇବାକୁ CHSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ୟାମେରାଗୁଡ଼ିକୁ CHSE କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସଂଯୋଗ କରାଯିବ। ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV କ୍ୟାମେରା ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁସାରେ, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ।
ପରୀକ୍ଷା କେନ୍ଦ୍ର ଚୟନ କରିବା ସମୟରେ ଭିତ୍ତିଭୂମି ଓ ପାଚେରୀ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଅପ୍‌ଗ୍ରେଡେଡ୍‌ ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ପାଚେରୀ ରହିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଏହା ସହ ସମ୍ପୃକ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ମଧ୍ୟ ବିଚାରକୁ ନିଆଯାଉଛି। ଗୋଟିଏ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫୦ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି।। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୪ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖାଯାଇଛି।

You might also like