ପୁଣି ସ୍କ୍ରବ ଟାଇଫସ୍ ଆତଙ୍କ, ସୁନ୍ଦରଗଡ଼ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ
ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ଗ୍ରାମର ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଉଜ୍ଜ୍ୱଳପୁର ଗାଁର ହରିହର ପଟ୍ଟା । ବିଲରେ କାମ କରିବାକୁ ଯାଇଥିବା ସମୟରେ ସ୍କ୍ରବ୍ ଟାଇଫସ୍ ବାହକ କୀଟ କାମୁଡ଼ିବା ପରେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ବିଲରେ କାମ କରି ଘରକୁ ଫେରିବା ପରେ ହରିହର ନିଜ ଦେହ ଭଲ ଲାଗୁନଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।
ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଉନ୍ନତ ଚିକିତ୍ସା ପାଇଁ ସୁନ୍ଦରଗଡ଼ ପଠାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ରିପୋର୍ଟରେ ହରିହର ସ୍କ୍ରବ ଟାଇଫସ ପଜିଟିଭ ଥିବା ଉଲ୍ଲେଖ ରହିଛି । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ୁଥିବାରୁ ଏହାର ନିୟନ୍ତ୍ରଣ ଓ ଜନସଚେତନତା ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି ।