ଲ୍ୟାଣ୍ଡିଂ ବେଳେ ଫେଲ୍ ହେଲା ବ୍ରେକ୍ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ
ଶ୍ରୀନଗର ବିମାନବନ୍ଦରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ପାର୍କିଂ କରୁଥିବା ସମୟରେ ଏକ ଇଣ୍ଡିଗୋ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ବିମାନଟି ପାର୍କିଂ ବେ’ରେ ଲାଗିଥିବା ପୋଲ୍ ସହ ଧକ୍କା ହୋଇଥିଲା। ଧକ୍କାରେ ବିମାନର ସାମ୍ନା ଭାଗ କ୍ଷତି ହୋଇଛି। ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ବର୍ତ୍ତମାନ ଯାଞ୍ଚ ଚାଲିଛି।ମିଳିଥିବା ସୂଚନା ଅନୁଯାୟୀ, ନଭି ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନଟି ସକାଳ ପ୍ରାୟ ୯:୦୨ ମିନିଟ୍ ସମୟରେ ଶ୍ରୀନଗର ବିମାନବନ୍ଦରରେ ଅବତରଣ କରିଥିଲା। ବିମାନକୁ ସଠିକ୍ ଭାବରେ ପାର୍କିଂ କରିବାରେ ମାର୍ଗଦର୍ଶନ କରୁଥିବା ‘VDGS’ ପୋଲ୍ ସହିତ ବିମାନଟି ଧକ୍କା ହୋଇଥିଲା । ଘଟଣା ଘଟିବା କ୍ଷଣି ବିମାନବନ୍ଦରର କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଥିଲେ।
ଦୁର୍ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷ ତୁରନ୍ତ ମାନୁଆଲ୍ ବିମାନ ସିଡ଼ି ବ୍ୟବହାର କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଏହି ଦୁର୍ଘଟଣା ସତ୍ତ୍ୱେ ଶ୍ରୀନଗର ବିମାନବନ୍ଦରର କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଏବଂ ଅନ୍ୟ କୌଣସି ବିମାନ ସେବା ଏହାଦ୍ୱାରା ପ୍ରଭାବିତ ହୋଇନାହିଁ।