୧୫ ଜୁଲାଇରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଆବେଦନ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଆବେଦନ ତାରିଖ ଘୋଷଣା। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହୋଇ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଆଜି (ମଙ୍ଗଳବାର) ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଓଡ଼ିଶା ଟୁରିଜିମ୍ ଏବଂ IRCTCର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରାଣସୀ-ଅଯୋଧ୍ୟା, ରାମେଶ୍ୱରମ୍-ମଦୁରାଇ ଏବଂ ହରିଦ୍ୱାର-ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ।ଗଣମାଧ୍ୟମକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଯେପରି ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରିପାରିବେ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।