୧୫ରୁ ୧୯ ଜୁଲାଇ ମଧ୍ୟରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଲଘୁଚାପ ପ୍ରଭାବରେ ୩ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥ‌ିବା ସଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତ ରୂପ ନେଇଛି । ଏହା ବର୍ତ୍ତମାନ ବାଲେଶ୍ବରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ, ଚାନ୍ଦବାଲିଠାରୁ ଉତ୍ତରପୂର୍ବ ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ ଅଛି ।ତେବେ ଆଜିଠାରୁ ଅବପାତ ଦୁର୍ବଳ ହେବା ସହ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି କିନ୍ତୁ ବର୍ଷାରୁ ଏହି ଆଶ୍ୱସ୍ତି ବେଶି ଦିନ ରହିବ ନାହିଁ । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ୧୯ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେଇପାରେ । ଯଦି ଏହି ପାଣିପାଗ ବ୍ୟବସ୍ଥା ସୃଷ୍ଟି ହୁଏ, ତେବେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିପାରେ । ତେବେ ଲଘୁଚାପର ଗତିପଥ, ତୀବ୍ରତା ଓ ଏହାର ପ୍ରଭାବ ସମ୍ପର୍କରେ ଏବେଠାରୁ ସ୍ପଷ୍ଟ କହିହେବ ନାହିଁ । ପରିସ୍ଥିତି ଉପରେ ପାଣିପାଗ ବିଭାଗ କ୍ରମାଗତ ନଜର ରଖିଛି ଏବଂ ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ସତର୍କ ସୂଚନା ଜାରି କରାଯିବ । ବର୍ତ୍ତମାନ ପାଇଁ ବର୍ଷାର ପ୍ରକୋପ କମିବାରୁ କିଛିଟା ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଆସନ୍ତା ସପ୍ତାହରେ ସମ୍ଭାବ୍ୟ ଲଘୁଚାପକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

You might also like