ଆରମ୍ଭ ହେଲା ଅମରନାଥ ଅଭିମୁଖେ ତୀର୍ଥଯାତ୍ରା

ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଶ୍ରୀ ଅମରନାଥ ଯାତ୍ରା ୨୦୨୬ ପାଇଁ ପ୍ରଥମ ଦଳକୁ ଜମ୍ମୁରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭଗବତୀ ନଗର ବେସ୍ କ୍ୟାମ୍ପରୁ ଯାତ୍ରୀମାନେ ଧାର୍ମିକ ଯାତ୍ରା ଆରମ୍ଭ କରିଛନ୍ତି । ବମ୍ ବମ୍ ଭୋଲେ, ହର ହର ମହାଦେବ କହି ସେମାନେ କାଶ୍ମୀର ଘାଟି ଦିଗରେ ଗସ୍ତ ଆରମ୍ଭ କରିଛନ୍ତି ।ଗୁରୁବାର ମୋଟ୍ ୪୮୨୨ ଜଣ ଶ୍ରଦ୍ଧାଳୁ ୨୫୯ଟି ବାହାନରେ ଅମରନାଥ ଗୁମ୍ଫା ଅଭିମୁଖେ ବାହାରିଛନ୍ତି । ଏମାନେ ପହଲଗାମ୍ ଏବଂ ବାଲଟାଲ୍ ରାସ୍ତା ଦେଇ ଯାତ୍ରା କରିବେ । ମନୋଜ ସିହ୍ନା ଅମରନାଥ ଜି ଶ୍ରାଇନ୍ ବୋର୍ଡର ସଭାପତି ମଧ୍ୟ ରହିଛନ୍ତି । ସେ ସକାଳେ ଭଗବତୀନଗର ବେସ୍ କ୍ୟାମ୍ପରେ ପହଁଚିଥିଲେ । ଏଠାରେ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ କାମନା କରିଥିଲେ । ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଶାସନ ତରଫରୁ ହୋଇଥିବା ବ୍ୟବସ୍ଥାରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଥିଲେ । ଏହାସହ ସେମାନଙ୍କ ମନରେ ଥିବା ଉତ୍ସାହ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା ।ପଞ୍ଜୀକରଣ ବିନା ଜମ୍ମୁ କଶ୍ମୀରରେ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ତୁରନ୍ତ ପଞ୍ଜୀକରଣର ବ୍ୟବସ୍ଥା କରାଯାଇଛି। ଜମ୍ମୁର ତାୱି ନଦୀକୂଳରେ ଥିବା ତୁରନ୍ତ ପଞ୍ଜୀକରଣ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଧବାର ଦିନ ୭,୪୦୦ ଟୋକନ୍ ବଣ୍ଟନ କରାଯାଇଥିଲା। ଏଥିମଧ୍ୟରୁ ୨ ଜୁଲାଇରେ ୨୫୦୦, ୩ ଜୁଲାଇରେ ୨,୫୦୦ ଏବଂ ୪ ଜୁଲାଇରେ ୨୪୦୦ ତୀର୍ଥଯାତ୍ରୀଙ୍କୁ ତୁରନ୍ତ ପଞ୍ଜୀକରଣ କରାଯିବ।ଚଳିତ ଥର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଉଭୟ ପହଲଗାମ୍ ଏବଂ ବାଲଟାଲ ରାସ୍ତାରେ ସଶସ୍ତ୍ର ଯବାନ ମୁତୟନ ହୋଇଛନ୍ତି । ୬୭୦ କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି ।

You might also like