ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ;ତଦନ୍ତ ଆରମ୍ଭ

ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି।ପୋଲିସ ସୂଚନା ଅନୁସାରେ, ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ଖବର ପାଇବା ମାତ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସମଗ୍ର ପରିସରରେ ତଲାସି କରାଯାଇଥିଲା।ତେବେ ଦୀର୍ଘ ସମୟ ଧରି ଚାଲିଥିବା ଯାଞ୍ଚ ପରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି। ଏବେ ଧମକପୂର୍ଣ୍ଣ ଇ-ମେଲ୍‌ର ପ୍ରେରକଙ୍କୁ ଚିହ୍ନଟ କରିବା ଓ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଇ-ମେଲ୍‌ଟି ଦେଶ ଭିତରୁ ନା ବିଦେଶରୁ ପଠାଯାଇଛି, ସେନେଇ ମଧ୍ୟ ତଦନ୍ତ ଚାଲିଛି।

You might also like