ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଶିଳ୍ପ ବିଭାଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ମଧ୍ୟରେ ୧ ଲକ୍ଷ ୧ ହଜାର କୋଟିର ଏମଓୟୁ ସ୍ବାକ୍ଷର ହୋଇଛି। ଏହି ଏମଓୟୁ ଦ୍ବାରା ୫୩,୫୦୦ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡ଼ିଛି।ଏଥିରେ ଏକ ବିଶାଳ ରିଫାଇନେରୀ, ସ୍ମେଲ୍ଟର, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ଡାଉନଷ୍ଟ୍ରିମ୍ ମାନୁଫ୍ୟାକଚରିଂ ପାର୍କ ଅନ୍ତର୍ଭୁକ୍ତ ରହିଛି ।
ଏହି ପ୍ରକଳ୍ପ ଦ୍ଵାରା ବାର୍ଷିକ ୨ ନିୟୁତ ଟନରୁ ଅଧିକ ଆଲୁମିନିୟମ ଉତ୍ପାଦନ କ୍ଷମତା ସୃଷ୍ଟି ହେବ । ଫଳରେ ଭାରତର ସମଗ୍ର ଆଲୁମିନିୟମ ଉତ୍ପାଦନ କ୍ଷମତା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବ । ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଆଲୁମିନିୟମ ବ୍ୟବହାର ବିଶ୍ଵ ସ୍ତର ତୁଳନାରେ କମ୍ ରହିଛି । ମାତ୍ର ବୈଦ୍ୟୁତିକ ଯାନ, ଅକ୍ଷୟ ଶକ୍ତି, ଭିତ୍ତିଭୂମି ଏବଂ ମାନୁଫ୍ୟାକଚରିଂ କ୍ଷେତ୍ରର ଦ୍ରୁତ ବିକାଶ ଯୋଗୁଁ ଆଗକୁ ଆଲୁମିନିୟମର ଚାହିଦା ବହୁତ ବଢ଼ିବାକୁ ଯାଉଛି । ତେଣୁ ଏହି ସମୟରେ ଏଭଳି ଏକ ପ୍ରକଳ୍ପ ବେଶ୍ ଲାଭଦାୟକ ପ୍ରମାଣିତ ହେବ । ଆଦାନୀର ଏହି ଏଣ୍ଟ୍ରି ପରେ ଓଡ଼ିଶାରେ ପୂର୍ବରୁ କାର୍ଯ୍ୟ କରୁଥିବା ବେଦାନ୍ତ ଆଲୁମିନିୟମ ଏବଂ ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଭଳି ବଡ଼ କମ୍ପାନୀଗୁଡ଼ିକ ପାଇଁ ପ୍ରତିଯୋଗିତା ବେଶ୍ ଶକ୍ତ ହେବ । ଏହି ଦୁଇ କମ୍ପାନୀ ମଧ୍ୟ ଓଡ଼ିଶାରେ ନିଜର ବ୍ୟବସାୟ ସମ୍ପ୍ରସାରଣ ପାଇଁ ବଡ଼ ଯୋଜନା ରଖିଛନ୍ତି । ଏହି ଚୁକ୍ତିନାମା କେବଳ ଭାରତ ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରୁନାହିଁ ବରଂ ଓଡ଼ିଶାକୁ ବିଶ୍ଵସ୍ତରରେ ଆଲୁମିନିୟମର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଥିବା ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ।