ଚାଇନା ଏବେ ପାନାମା କେନାଲ ଉପରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚେଷ୍ଟା କରୁଛି! ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପାନାମା କେନାଲ୍ ଏବଂ ଚୀନକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି କେନାଲର ନିୟନ୍ତ୍ରଣ ଛାଡିବା ଉଚିତ୍‌ ନ ଥିଲା। ନିୟନ୍ତ୍ରଣ ହାସଲ କରିବା ପରେ, ପାନାମା ଜାହାଜଗୁଡ଼ିକ ପାଇଁ ଆଦାୟ କରାଯାଉଥିବା ପରିବହନ ଶୁଳ୍କ ବହୁଗୁଣ ବୃଦ୍ଧି କରିଛି, ଏବଂ ବର୍ତ୍ତମାନ ଚାଇନା ଏହି ରଣନୈତିକ ଜଳପଥ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି। ଆମେରିକା ଏହା ହେବାକୁ ଦେବ ନାହିଁ। ଟ୍ରମ୍ପ କହିଛନ୍ତି, ପାନାମା କେନାଲ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥମାନଙ୍କ ମଧ୍ୟରୁ ଅନ୍ୟତମ। ପାନାମା କେନାଲ ହେଉଛି ଏକ କୃତ୍ରିମ ଜଳପଥ, ଯାହା ଆଟଲାଣ୍ଟିକ୍ ମହାସାଗର ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରିଥାଏ। ଏହା ଦ୍ୱାରା ଜାହାଜଗୁଡ଼ିକୁ ସମଗ୍ର ଦକ୍ଷିଣ ଆମେରିକାକୁ ବୁଲି ଯିବାକୁ ପଡ଼େନାହିଁ। ଫଳରେ ହଜାର ହଜାର କିଲୋମିଟର ଦୂରତା, ସମୟ ଓ ଇନ୍ଧନର ସଞ୍ଚୟ ହୁଏ। ତେବେ ପାନାମା କେନାଲର ଉଭୟ ପାର୍ଶ୍ୱରେ ଥିବା ଦୁଇଟି ବଡ଼ ବନ୍ଦରର ପରିଚାଳନା ଚୀନର କମ୍ପାନୀମାନେ କରୁଛନ୍ତି। ଏହା ଦ୍ୱାରା ଚୀନ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ଉପରେ ନିଜର ପ୍ରଭାବ ବଢ଼ାଇପାରେ ବୋଲି ଆମେରିକା ଆଶଙ୍କା କରୁଛି।

You might also like