ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ କରିଛି। ଅଭିଯୁକ୍ତ ସାଜିତ ଖାନ୍‌ଙ୍କୁ ପଞ୍ଜାବର ଅମୃତସରରୁ ଗିରଫ କରାଯାଇଛି।ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ୨୦୦୮ ମସିହାରେ ଗିରଫ ହୋଇଥିବା ସାଜିଦ ଖାନ୍ ଚୌଦ୍ୱାର ଜେଲରେ ଆଜୀବନ ସଜା କାଟୁଥିଲା। ତେବେ ୨୦୧୭ ମସିହାରେ ତାକୁ ୧୪ ଦିନ ପାଇଁ ପାରୋଲ ମିଳିଥିଲା। କିନ୍ତୁ ପାରୋଲରେ ବାହାରିବା ପରେ ସେ ଆଉ ଜେଲକୁ ଫେରିନଥିଲା ଏବଂ ଫେରାର ହୋଇଯାଇଥିଲା।ଫେରାର ପରେ ସାଜିଦ ପ୍ରଥମେ ଯାଜପୁର, ପରେ ଦିଲ୍ଲୀ ଏବଂ ଶେଷରେ ପଞ୍ଜାବର ଅମୃତସରରେ ଆତ୍ମଗୋପନ କରିଥିଲା। ସେଠାରେ ସେ ନିଜ ନାଁ ବଦଳାଇ ଫୟାଜ୍ ଖାନ୍ ନାଁରେ ରହୁଥିଲା। ବେଡ୍‌ସିଟ୍ ବିକ୍ରି କରି ଜୀବିକା ଚଳାଇବା ସହ ସେଠାରେ ବିବାହ କରି ପରିବାର ସହ ରହୁଥିଲା।୨୦୨୫ ଡିସେମ୍ବରରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଫେରାର କଏଦୀ ବିରୋଧରେ ଥାନାରେ ଏତଲା ଦେବା ପରେ ଜଗତପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା।ସାଜିଦକୁ ଧରିବା ପାଇଁ କମିଶନରେଟ୍ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପ୍ରାୟ ୬ ମାସ ଧରି ଚାଲିଥିବା ତଦନ୍ତରେ ସାଇବର ଟିମ୍‌ର ସହାୟତା ନିଆଯାଇଥିଲା। ଶେଷରେ ପଞ୍ଜାବର ଅମୃତସରରୁ ଜଗତପୁର ଥାନା ଗିରଫ କରାଯାଇଥିବା ସିପି ସୂଚନା ଦେଇଛନ୍ତି।ଏନେଇ ପୋଲିସ କମିଶନର କହିଛନ୍ତି ଯେ, “୨୦୨୫ରେ ଏହି ଘଟଣା ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଆମେ ମାମଲାକୁ ପୁନଃ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲୁ। ସେହି ପ୍ରୟାସର ଫଳସ୍ୱରୂପ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଛୁ।”

You might also like