ଆଜି ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା
ଭୁବନେଶ୍ଵର(ରାଜ୍ୟ କାହାଣୀ) ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦିରେ ଶ୍ରୀଜଗନ୍ନାଥାଦି ଦେବତାଙ୍କର ପ୍ରତ୍ୟକ୍ଷ ସ୍ନାନ ହୋଇଥାଏ। ଚତୁର୍ଦ୍ଧାମୂର୍ତିଙ୍କର ରହିଛି ଏକାଧିକ ଯାତ୍ରା ଅନେକ ନୀତିକାନ୍ତି, ଭୋଗ ଓ ବେଶ । ଏହା ମଧ୍ୟରୁ ଅନନ୍ୟ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ । ବର୍ଷ ସାରା ରତ୍ନ ସଂହାସନରେ ପ୍ରତିବିମ୍ବ ସ୍ନାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ପ୍ରତ୍ୟେକ୍ଷ ସ୍ନାନ କରନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ଏହି ପବିତ୍ର ଦିବ୍ୟସ୍ନାନ ନୀତି ମଧ୍ୟ ବେଶ ଦୁର୍ଲ୍ଲଭ । ଦାରୁଦିଅଁ 108 ଗରା ସୁବାସିତ ଦିବ୍ୟ ଜଳରେ ସ୍ନାନ କରନ୍ତି । ପରେ ମହାପ୍ରଭୁ ଅତ୍ୟଧିକ ସ୍ନାନ ହେତୁ ଜ୍ୱରରେ ଆକ୍ରାନ୍ତ ହୋଇ 15 ଦିନ ଅଣସର ଘରେ ଗୁପ୍ତ ଉପଚାର ହୁଅନ୍ତି । ଦଇତାପତି ସେବକମାନେ ଏହି ଗୁପ୍ତ ନୀତି ନିର୍ବାହ କରନ୍ତି । ତେବେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ପ୍ରଥମେ ଶ୍ରୀବିଗ୍ରହମାନଙ୍କୁ ପ୍ରତିଷ୍ଠା କରିଥିଲେ, ସେହି ସମୟରୁ ହିଁ ଏହି ସ୍ନାନ ଉତ୍ସବ ଏବଂ ସ୍ନାନବେଦିର ପରମ୍ପରା ଆରମ୍ଭ ହୋଇଥିଲା। ସାଧାରଣ ଦିନରେ ଶ୍ରୀମନ୍ଦିର ଭିତରକୁ ଅଣ-ହିନ୍ଦୁମାନଙ୍କ ପ୍ରବେଶ ମନା ଥିବାବେଳେ, ସ୍ନାନବେଦି ଉଚ୍ଚରେ ଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ସମ୍ପ୍ରଦାୟର ଲୋକେ ବାହାରୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି।