୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର
ଭୁବନେଶ୍ୱର (ରାଜ୍ୟକାହାଣୀ )କ୍ରାଇମବ୍ରାଞ୍ଚ୍ STF ହାତରେ ଆନ୍ତଃ ରାଜ୍ୟ ଗଂଜେଇ ଚାଲାଣର ମାଷ୍ଟରମାଇଣ୍ଡ। ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ ସହ ତାର ସହଯୋଗୀମାନଙ୍କୁ STF ଗିରଫ କରିଛି। ଗତ ଏକ ମାସ ଧରି ଚାଲିଥିବା ଗୁପ୍ତଚର ଭିତ୍ତିକ ଅଭିଯାନରେ ଏହି ବଡ଼ ସଫଳତା ମିଳିଛି। ବୌଦ୍ଧ ଅଞ୍ଚଳର ୪ ଅଭିଯୁକ୍ତଙ୍କୁ ଗିରଫ ପରେ ଏହି ବଡ଼ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଗିରଫ ଅଭିଯୁକ୍ତମାନେ ହେଲେ ଦୁବାଶ ସାହୁ, ସୁବୁଦ୍ଧି ସାହୁ, ପ୍ରକାଶ ଖଟୁଆ ଓ ଅରୁଣ କୁମାର ରଣା ।ଦୁବାଶ ଓ ସୁବୁଦ୍ଧିଙ୍କୁ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ବୋଲି STF କହିଛି। ତଦନ୍ତରୁ ଜଣାପଡ଼ିଛି , ଚାଲାଣ ସମୟରେ ପରିଚୟ ଚିହ୍ନ ଭାବେ ୧୦ ଟଙ୍କିଆ ନୋଟର ଅଧା ଅଂଶ ବ୍ୟବହାର କରାଯାଉଥିଲା । ଗଞ୍ଜେଇ ଯୋଗାଣକାରୀ ଓ କ୍ରେତାଙ୍କ ମଧ୍ୟରେ ଏହି ନୋଟ ଥିଲା ଗୁପ୍ତ ସଙ୍କେତ । ଏଭଳି ଉପାୟରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିଲା । ଅଭିଯୁକ୍ତଙ୍କ ଠାରୁ ଏକ ମାରୁତି କାର, ମୋବାଇଲ ଫୋନ, ସୁନା ଚେନ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଦୁବାଶ ଓ ସୁବୁଦ୍ଧି ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି ।ପ୍ରେସମିଟ୍ରେ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ ଗତ ୨୪ ତାରିଖରେ ଆଠଗଡ଼ ନିକଟରୁ ୧୯୦ କେଜି ଜବତ ଘଟଣାରେ ଗିରଫ କରାଯାଇଛି ।
ଆଠଗଡ଼ରୁ ଧରାପଡ଼ିଥିବା ଅଭିଯୁକ୍ତ ନିକଟରୁ ୧୦ ଟଙ୍କିଆ ନୋଟ୍ର ଅଧା ଅଂଶ ଜବତ କରାଯାଇଛି । ବାକି ଅଧା ଅଂଶ ଦେଖାଇବା ବ୍ୟକ୍ତିଙ୍କୁ ଗଞ୍ଜେଇ ଦେବାକୁ ନିର୍ଦ୍ଦେଶ ଥିଲା । ଆଜି ଗିରଫ ୪ ଅଭିଯୁକ୍ତଙ୍କ ନିକଟରୁ ଅଧା ଚିରା ୧୦ ଟଙ୍କିଆ ନୋଟ୍ ଜବତ କରାଯାଇଛି । ତେବେ ଗତ ଦୁଇ ବର୍ଷ ଧରି ରାଜ୍ୟରେ ଗଞ୍ଜେଇ ବିରୋଧୀ ଅପରେସନ ଜୋରଦାର ହୋଇଥିବା ବେଳେ ଏ ବର୍ଷ ୧ ଲକ୍ଷ ୭୭ ହଜାର କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । କନ୍ଧମାଳ ଓ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳରେ ଚଢ଼ାଉ ଜାରି ରହିଛି । ସିଣ୍ଡିକେଟର କିଙ୍ଗପିନ୍ କୁ ଧରିବା ପାଇଁ STF ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତଙ୍କଠାରୁ ମିଳୁଥିବା ସୂଚନା ଆଧାରରେ ସମଗ୍ର ଚେନ୍ କୁ ଧ୍ୱଂସ କରିବାକୁ ପ୍ରୟାସ ଚାଲିଛି ।