ମୁମ୍ବାଇରେ ମୌସୁମୀର ତାଣ୍ଡବ, ୮ ଘଣ୍ଟାରେ ୨୦୦ ମି.ମି.ରୁ ଅଧିକ ବର୍ଷା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବାର ଘୋଷଣା ପରେ ମୁମ୍ବାଇରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଫଳରେ ମାତ୍ର ୮ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ବୁଧବାର ସକାଳୁ ରାସ୍ତାଘାଟ ଜଳମଗ୍ନ ହେବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି।ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଛି ହିନ୍ଦମାତା, ମାଟୁଙ୍ଗା, କୁର୍ଲା ଏବଂ ଅନ୍ଧେରୀ ସମେତ ଅନେକ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଛି । ଏହାରି ମଧ୍ୟରେ ଟ୍ରାନ୍ସ-ହାର୍ବର ରେଳପଥରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କୋପରଖୈରଣେ ଏବଂ ତୁର୍ବେ ଷ୍ଟେସନ ମଧ୍ୟରେ ଥିବା ଟ୍ରାକ ତଳେ ମାଟି ବହିଯାଉଥିବା ଯୋଗୁଁ ଉଭୟ ଦିଗର ଟ୍ରେନ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ କରି ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଏହି ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ଏହି ରୁଟର ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।

You might also like