ଭାରତୀୟ ରେଲୱେର ମଞ୍ଜୁରି, ପୂର୍ବତଟ ରେଲୱେର ୬୩୧ କିଲୋମିଟରରେ ଲାଗିବ ‘କବଚ’
ଭୁବନେଶ୍ୱର (ରାଜ୍ୟକାହାଣୀ )ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି । କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ । ଏହି ପ୍ରକଳ୍ପ ଅଧୀନରେ ଜୋନ୍ ରେ ଛଅଟି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବାଘୁଆପାଳବୁଢାପଙ୍କ, ହରିଦାସପୁର-ପାରାଦୀପ, ଖୋର୍ଦ୍ଧା ରୋଡ୍ବଲାଙ୍ଗୀର, ନୌପଡା-ଗୁଣୁପୁର, ଲାଞ୍ଜିଗଡ଼ ରୋଡ୍ଜୁନାଗଡ଼ ଏବଂ ବାବିଲି-ସାଲୁରୁ ଅନ୍ତର୍ଭୁକ୍ତ ହୋଇଛି। ସୁରକ୍ଷା ‘କବଚ’ ରେଳଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ଅବିରତ ନଜର ରଖିଥାଏ । ଚାଳକ ଭୁଲ୍ରେ ସିଗ୍ନାଲ ଅତିକ୍ରମ କଲେ, ‘କବଚ’ ସତର୍କ ସୂଚନା ପଠାଇଥାଏ । ଏହା ସତ୍ତ୍ବେ ଚାଳକ ପଦକ୍ଷେପ ନ ନେଲେ, ଆପେଆପେ ବ୍ରେକ୍ ଲାଗିଯାଏ । ଖାଲି ସେତିକି ନୁହେଁ, ଅତି ଜରୁରୀ ପରିସ୍ଥିତିରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ଘଟଣାସ୍ଥଳକୁ ସିଗନାଲ୍ ପଠାଇଥାଏ ।ଏହା ସହିତ, କବଚ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ।ପୂର୍ବତଟ ରେଳପଥ ଅଧୀନରେ କବଚ କାର୍ଯ୍ୟକାରୀ ହେଲେ ଉଭୟ ଯାତ୍ରୀ ଓ ମାଲବାହୀ ଟ୍ରେନ୍ ନିରାପତ୍ତା ଅନେକାଂଶରେ ବୃଦ୍ଧି ପାଇବ ।