ନବୀନଙ୍କ ଅଭିଯୋଗ ପରେ ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣାରେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଭୁବନେଶ୍ଵର( ରାଜ୍ୟ କାହାଣୀ)ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ । କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜଣେ ମୃତ ଜମାକାରୀଙ୍କ ଜମା ରାଶି ପ୍ରଦାନରେ ହୋଇଥିବା ଅହେତୁକ ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ନିଲମ୍ବନ କରାଯିବା ସହ ପୀଡ଼ିତ ପରିବାରର କ୍ଲେମ ସେଟଲମେଣ୍ଟ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏ ବିଷୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ।ବ୍ୟାଙ୍କ ନିୟମ ପାଳନ ଜରୁରୀ ଥିଲେ ମଧ୍ୟ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ତାହାକୁ କାର୍ଯ୍ୟକାରୀ କରିବା ବେଳେ ସମ୍ବେଦନଶୀଳତା, କରୁଣା ଓ ସଠିକ୍ ଯୋଗାଯୋଗ ବଜାୟ ରଖିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଗତ ମେ ୨୯ରେ ଅର୍ଥ ସେବା ବିଭାଗ ପକ୍ଷରୁ ଦେଶର ସସମ୍ତ ୨୮ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ବା ଆରଆରବି ପାଇଁ ପରାମର୍ଶବଳୀ ଜାରି କରାଯାଇଥିଲା । ଗ୍ରାମୀଣ, ଆଦିବାସୀ ଓ ସମାଜର ସମ୍ବେଦନଶୀଳ ବର୍ଗର ଗ୍ରାହକମାନଙ୍କୁ ସେବା ଯୋଗାଇବାବେଳେ କରୁଣା ଓ ସ୍ବଚ୍ଛତା ବଜାୟ ରଖିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା ।

You might also like