ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ମୋଦି
ଭୁବନେଶ୍ୱର (ରାଜ୍ୟକାହାଣୀ )ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାହାଡପୁର ହେଲିପାଡରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ। ଏମଆଇ-୧୭ ହେଲିକପ୍ଟର ଯୋଗେ ପାହାଡପୁରରେ ପହଞ୍ଚିଛନ୍ତି। ପୂର୍ବରୁ ପାହାଡପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ମୟୂରଭଞ୍ଜରେ ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ । ଜନ୍ମମାଟିରେ ଜନ୍ମଦିନ, ଆଉ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ସାଥ୍ । ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ମହାମହିମଙ୍କୁ ଶୁଭେଚ୍ଛା ଜଣାଇବା ସହ ସାକ୍ଷାତ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଦେଶର ବିଭିନ୍ନ ନେତାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ପାହାଡପୁରରେ ଥିବା ଗୋଷାଣୀ ପୀଠରେ ଉଭୟ ପୂଜା କରିବେ । ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରା ଯିବେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ସ୍କିଲ ସେଣ୍ଟରରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ ଉଭୟେ । ପାହାଡପୁରରେ ଥିବା ରାଷ୍ଟ୍ରପତିଙ୍କ ସ୍କୁଲକୁ ଯିବେ ମୋଦି । ଏବଂ ପାହାଡପୁର ସ୍କୁଲରେ ପିଲାଙ୍କ ସହ କିଛି ସମୟ ବିତାଇବେ ।ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।