ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’! ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା ଓ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ‘ଫିଟ୍ ଓଡ଼ିଶା ମିଶନ୍’ ଅଧୀନରେ ‘ଫିଟ୍ କଲେଜ ପ୍ରୋଗ୍ରାମ’ ଆରମ୍ଭ କରିଛି।ଏହି ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟରେ ସଂଗଠିତ ଭାବେ ଫିଟନେସ, ଯୋଗ, କ୍ରୀଡ଼ା, କାଉନସେଲିଂ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରତିଷ୍ଠାନକୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ କଲେଜରେ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟରେ ଉପକୁଳପତିଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ସମନ୍ୱୟ କମିଟି ଗଠନ କରାଯିବ। ଏଥିରେ ବରିଷ୍ଠ ଅଧ୍ୟାପକ, ଶାରୀରିକ ଶିକ୍ଷା ବିଭାଗର ପ୍ରତିନିଧି, ଏନ୍ଏସ୍ଏସ୍, ଏନ୍ସିସି, ଛାତ୍ର ପ୍ରତିନିଧି ଓ ୱେଲନେସ୍ କୋ-ଅର୍ଡିନେଟର ସାମିଲ ହେବେ। ସେହିପରି ପ୍ରତ୍ୟେକ ପ୍ରତିଷ୍ଠାନରେ ଜଣେ ନୋଡାଲ ଅଫିସର ଓ ଜଣେ କାଉନସେଲିଂ ଏବଂ ୱେଲନେସ୍ କୋ-ଅର୍ଡିନେଟରଙ୍କୁ ନିଯୁକ୍ତ କରିବାକୁ ବାଧ୍ୟତାମୂଳକ କରାଯାଇଛି।ଫିଟ୍ କଲେଜ ପ୍ରୋଗ୍ରାମ’ ଅଧୀନରେ ସ୍ପୋର୍ଟସ୍ ଓ ଫିଟନେସ କ୍ଲବ, ଯୋଗ ଓ ୱେଲନେସ୍ କ୍ଲବ, ହେଲଥ ଆଣ୍ଡ ନ୍ୟୁଟ୍ରିସନ୍ କ୍ଲବ, ମେଣ୍ଟାଲ ହେଲ୍ଥ ସପୋର୍ଟ ଗ୍ରୁପ୍, ଆଡଭେଞ୍ଚର ଓ ଆଉଟଡୋର ଆକ୍ଟିଭିଟି ଗ୍ରୁପ୍ ଭଳି ବିଭିନ୍ନ କ୍ଲବ ଗଠନ କରାଯିବ। ଏହି କ୍ଲବଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ବିକାଶ, ସୁସ୍ଥ ଜୀବନଶୈଳୀ ଏବଂ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦିଆଯିବ।ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ୟାମ୍ପସଗୁଡ଼ିକରେ ନିୟମିତ ଫିଟନେସ ସେସନ୍, ‘ଫିଟ୍ ଆୱାର’ ଓ ‘ଫିଟ୍ ୱିକ୍’ କାର୍ଯ୍ୟକ୍ରମ, ଯୋଗ ଓ ଧ୍ୟାନ ଶିବିର, କ୍ରୀଡ଼ା ପ୍ରତିଯୋଗିତା, ମାରାଥନ୍, ସାଇକ୍ଲୋଥନ୍, ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଏବଂ ଆଡଭେଞ୍ଚର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ, ଚାପ ପରିଚାଳନା, ଅବସାଦ ନିବାରଣ ଓ ଜୀବନ କୌଶଳ ବିକାଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।ଏହି କାର୍ଯ୍ୟକ୍ରମର ରୂପାୟନ ଓ ପ୍ରଭାବକୁ ଆକଳନ କରିବା ପାଇଁ ‘ଫିଟ୍ କଲେଜ ପରଫର୍ମାନ୍ସ ଇଣ୍ଡେକ୍ସ’ ନାମରେ ଏକ ସ୍ୱତନ୍ତ୍ର ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ କରାଯିବ। ୧୦୦ ନମ୍ବର ଆଧାରିତ ଏହି ମୂଲ୍ୟାଙ୍କନରେ ଫିଟ୍ନେସ୍ କାର୍ଯ୍ୟକ୍ରମ, ଯୋଗ, କ୍ରୀଡ଼ା, ଛାତ୍ର ଅଂଶଗ୍ରହଣ, ମାନସିକ ସ୍ୱାସ୍ଥ୍ୟ ସେବା, ପ୍ରତିଷେଧକ ସ୍ୱାସ୍ଥ୍ୟ ସଚେତନତା, ଭିତ୍ତିଭୂମିର ବ୍ୟବହାର ଏବଂ ରିପୋର୍ଟିଂ ବ୍ୟବସ୍ଥାକୁ ବିଚାରକୁ ନିଆଯିବ।ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ପ୍ରତିଷ୍ଠାନକୁ ୩୦ ଦିନ ମଧ୍ୟରେ ଆବଶ୍ୟକ କମିଟି ଗଠନ, ନୋଡାଲ ଅଫିସର ନିଯୁକ୍ତି, ଛାତ୍ର କ୍ଲବ ଗଠନ ଏବଂ ବାର୍ଷିକ ଫିଟ୍ନେସ୍ ଓ ୱେଲନେସ୍ କାର୍ଯ୍ୟସୂଚୀ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ବିଭାଗକୁ ପାଳନ ରିପୋର୍ଟ ଦାଖଲ କରିବାକୁ ହେବ। ଏହାପରେ ପ୍ରତି ତିନି ମାସରେ ପ୍ରଗତି ରିପୋର୍ଟ ଦାଖଲ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

You might also like