ଡିଜିଟାଲ୍ ପେମେଣ୍ଟ ଆପ୍ ‘ଫୋନପେ’ (PhonePe) ୱାଲେଟ୍ ବ୍ୟବହାର ନ କଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଶୁଳ୍କ
ଯଦି ଆପଣ ଫୋନ୍-ପେ ୱାଲେଟ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କମ୍ପାନୀ ଏହାର ଗାଇଡ୍ଲାଇନ୍ ବଦଳାଇ ଦେଇଛି। ଯଦି ଜଣେ ବ୍ୟବହାରକାରୀ ନିଜ ୱାଲେଟକୁ ଦୀର୍ଘ ଦିନ ଧରି ବ୍ୟବହାର କରୁ ନାହାଁନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଫି’ ଦେବାକୁ ପଡିପାରେ।ଫୋନପେର ନୂଆ ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ୟୁଜର ଗତ ୩୬୫ ଦିନ ବା ବର୍ଷକ ମଧ୍ୟରେ ୱାଲେଟ୍ ମାଧ୍ୟମରେ କୌଣସି ପ୍ରକାର ଆର୍ଥିକ କାରବାର କରି ନାହାଁନ୍ତି, ତେବେ ସେହି ୱାଲେଟକୁ ‘ଇନଆକ୍ଟିଭ୍’ ବା ଅଚଳ ବୋଲି ବିବେଚନା କରାଯିବ। ଏଭଳି ସ୍ଥିତିରେ କମ୍ପାନୀ ୧୦୦ ଟଙ୍କା ତ୍ରୈମାସିକ ଶୁଳ୍କ ଆଦାୟ କରିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଫୋନପେ ଆପ୍ ଖୋଲିବା କିମ୍ବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ୟୁପିଆଇ (UPI) ପେମେଣ୍ଟ କରିବା ଏହି ଶୁଳ୍କରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ନୁହେଁ। ଏହି ଶୁଳ୍କରୁ ବଞ୍ଚିବା ପାଇଁ ୱାଲେଟ୍ ମାଧ୍ୟମରେ କିଛି ନା କିଛି କାରବାର କରିବା ବାଧ୍ୟତାମୂଳକ।କମ୍ପାନୀର ଏହି ନୂଆ ନିୟମକୁ ନେଇ ସୋସିଆଲ ମିଡିଆରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ୟୁଜର୍ସ କହିଛନ୍ତି ଯେ, ସେମାନେ କେବଳ UPI ବ୍ୟବହାର କରନ୍ତି, ୱାଲେଟ୍ ନୁହେଁ। ତେଣୁ ନ ବ୍ୟବହାର କରୁଥିବା ସେବା ପାଇଁ ଚାର୍ଜ ନେବା ସମ୍ପୂର୍ଣ୍ଣ ଅନ୍ୟାୟ।ତେବେ ଏଭଳି ଚାର୍ଜ ଲଗାଇବାରେ PhonePe ପ୍ରଥମ କମ୍ପାନୀ ନୁହେଁ। ପୂର୍ବରୁ ୨୦୨୧ ମସିହାରେ ମୋବିକ୍ୱିକ୍ (MobiKwik) ଏବଂ ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କ (Airtel Payments Bank) ମଧ୍ୟ ନିଷ୍କ୍ରିୟ ୱାଲେଟ୍ ଉପରେ ମେଣ୍ଟେନାନ୍ସ ଫି’ ଲାଗୁ କରିସାରିଛନ୍ତି। ଏୟାରଟେଲ୍ ବର୍ତ୍ତମାନ ବାର୍ଷିକ ୭୫ ଟଙ୍କା ମେଣ୍ଟେନାନ୍ସ ଚାର୍ଜ ନେଉଛି।
ନୋଟିସ୍ ପିରିୟଡ୍: ଶୁଳ୍କ କାଟିବାର ୧୫ ଦିନ ପୂର୍ବରୁ କମ୍ପାନୀ ୟୁଜରଙ୍କୁ ନୋଟିସ୍ ପଠାଇବ।
ବାଲାନ୍ସ କାଟ: ଯଦି ୱାଲେଟରେ ୧୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ବାଲାନ୍ସ ଥିବ, ତେବେ କମ୍ପାନୀ ସିଧାସଳଖ ତାହା କାଟିନେବ।
ସ୍ୱଳ୍ପ ବାଲାନ୍ସ: ଯଦି ୱାଲେଟରେ ୧୦୦ ଟଙ୍କାରୁ କମ୍ ବାଲାନ୍ସ ଥିବ, ତେବେ ୱାଲେଟରେ ଥିବା ସମସ୍ତ ଅର୍ଥ କଟିଯିବ ଏବଂ ବାଲାନ୍ସ ଶୂନ ହୋଇଯିବ। କିନ୍ତୁ ଆକାଉଣ୍ଟ କେବେବି ନେଗେଟିଭ୍ ହେବ ନାହିଁ।