ପିଏମ୍ ସ୍ୱନିଧି ଯୋଜନା; ଷ୍ଟ୍ରିଟ୍ ଭେଣ୍ଡର ହିତାଧିକାରୀଙ୍କୁ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ୩ଟି ଋଣ ପର୍ଯ୍ୟାୟରେ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । ଚୁକ୍ତିପତ୍ର ଉପରେ ଲାଗୁଥିବା ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, ପିଏମ୍ ସ୍ୱନିଧି ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଋଣ କିସ୍ତି ସମ୍ବନ୍ଧୀୟ ହାଇପୋଥିକେସନ୍ ଏଗ୍ରିମେଣ୍ଟଗୁଡ଼ିକ ଉପରେ ଷ୍ଟାମ୍ପ ଶୁଳ୍କ ଆଦାୟ କରାଯିବ ନାହିଁ । ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ପଦକ୍ଷେପ ଫଳରେ ରାସ୍ତାକଡ଼ ବ୍ୟବସାୟୀମାନଙ୍କର ଋଣ ନେବା ଖର୍ଚ୍ଚ କମିବା ସହ ଔପଚାରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମାଧ୍ୟମରେ ସହଜରେ ଋଣ ପାଇବାର ସୁଯୋଗ ବଢ଼ିବ । ଏହା ଦ୍ୱାରା ଛୋଟ ବ୍ୟବସାୟୀମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।

You might also like