ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରରେ ଆକ୍ସନ୍: ସରକାରୀ ଯନ୍ତ୍ରୀ ଅଟକ

ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର! ଦୁଇ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଓ ମୋନାଲିସା ବେହେରାଙ୍କ ବିରୋଧରେ ରୁଜୁ ହେଲା ମାମଲା । ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ। ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଉଠାଇନେଲା ପୋଲିସ। ଲକ୍ଷ୍ମଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ। ମୋନାଲିସା ବେହେରାଙ୍କୁ ଖୋଜୁଛି କ୍ୟାପିଟାଲ୍ ଥାନା ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନାମରେ ଏକ ଜାଲ୍ ସରକାରୀ ଚିଠି ପ୍ରସ୍ତୁତ କରାଯାଇଥିଲା। ଏହି ଚିଠି ମାଧ୍ୟମରେ କିଛି ସରକାରୀ କର୍ମଚାରୀଙ୍କୁ ମନପସନ୍ଦର ସ୍ଥାନକୁ ବଦଳି କରାଇବା ପାଇଁ ଅଫିସିଆଲ୍ ସୁପାରିସ କରାଯାଇଥିବା ଦର୍ଶାଯାଇଥିଲା। ଏଥିପାଇଁ ଅବିକଳ ଉପବାଚସ୍ପତିଙ୍କ ଭଳି ନକଲି ଦସ୍ତଖତ ଓ ଏକ ଜାଲ୍ ଅଫିସିଆଲ୍ ଲେଟରପ୍ୟାଡ୍ ବ୍ୟବହାର କରାଯାଇଥିଲା। ତେବେ ବିଧାନସଭା ସଚିବାଳୟ ସ୍ତରରେ ଏହି ବଡ଼ ଧରଣର ଜାଲିଆତି ସମ୍ପର୍କରେ ଜଣାପଡ଼ିବା ପରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) କ୍ୟାପିଟାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ତୁରନ୍ତ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଅଭିଯୁକ୍ତ ଯନ୍ତ୍ରୀଙ୍କୁ କାବୁ କରିଛି।କେଉଁଠି ଏହି ଦୁଇ ଅଧିକାରୀ ନକଲି ଲେଟର ପ୍ୟାଡ଼ ପ୍ରସ୍ତୁତ କରିଥିଲେ, ଦସ୍ତଖତକୁ କେମିତି ଜାଲି କଲେ ସେନେଇ ହେବ ପଚରା ଉଚରା । ଏହା ସହ ନକଲି ଲେଟର ପ୍ୟାଡ଼ ସହ ଦସ୍ତଖତକୁ ନକଲି କରି କାହାକୁ କାହାକୁ ଦେଇଛନ୍ତି ସେନେଇ ଖୋଳତାଡ଼ କରିବ ପୋଲିସ।

You might also like