ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ମୃତ
ଭୁବନେଶ୍ୱର (ରାଜ୍ୟକାହାଣୀ )ନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଦୁଃଖଦ ଖବର । ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ହୋଇଥିବା ଲମ୍ବା ଥଣ୍ଟିଆ ଶାଗୁଣା ଶାବକର ସୋମବାର ସକାଳେ ମୃତ୍ୟୁ ଘଟିଛି । ୩ମାସର ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ୧୦କୁ ଖସିଆସିଛି । ତେବେ ଏଥରକୁ ମିଶାଇ ଦ୍ୱିତୀୟ ଥର ନନ୍ଦନକାନନରେ ଜନ୍ମିତ ଶାଗୁଣା ଶାବକ ମୃତ୍ୟୁ ଫଳରେ ଶାଗୁଣା ପ୍ରଜନନ ଯୋଜନାକୁ ଶକ୍ତ ଧକା ଲାଗିଛି।ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଥିଲା । ୨୦୨୫ ଡିସେମ୍ବରରୁ ୨୦୨୬ ଜାନୁୟାରୀ ମଧ୍ୟରେ କେ-୪୨ ଅଣ୍ଡିରା ସହ କେ୪୬ ମାଈ ଶାଗୁଣାର ମିଳନ କରାଯାଇଥିଲା । ଗତ ଜାନୁଆରୀ ୧୬ ତାରିଖରେ ଶାଗୁଣା ଗୋଟିଏ ଅଣ୍ଡା ଦେଇଥିଲା । ସେଥିରୁ ଗତ ମାର୍ଚ୍ଚ ୧୧ ତାରିଖରେ ଛୁଆ ବାହାରିଥିଲା । ଛୁଆ ଜନ୍ମ ପରେ ତା’ଉପରେ ସିସିଟିଭି ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖାଯାଉଥିଲା । ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ଦରକାରୀ ଚିକିତ୍ସା କରାଯାଉଥିଲା ।
ସୋମବାର ସକାଳେ ଶାଗୁଣା ଛୁଆଟି ଅଚେତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶାବକଟିର ମୃତ୍ୟୁ ହୋଇଥିବା କହିଥିଲେ । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏଥିପାଇଁ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଶାଗୁଣା ଶାବକର ମୃତ୍ୟୁର କାରଣ ଜଣାପଡ଼ିବ ।