ମାମଲା ରଦ୍ଦ ପାଇଁ ଅନୁଭବଙ୍କ ଆବେଦନ, ଓଡ଼ିଶା ସରକାର ଓ ବର୍ଷାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ସୁପ୍ରିମକୋର୍ଟରେ ଅନୁଭବ ମହାନ୍ତିଙ୍କ ମାମଲା,ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌। ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅନୁଭବ। ଓଡ଼ିଶା ହାଇକୋର୍ଟଙ୍କ କିଛି ନିର୍ଦ୍ଦେଶ ବିରୋଧରେ ଆଗତ ଏହି ସ୍ପେଶାଲ ଲିଭ୍ ପିଟିସନ ବା ଏସଏଲପି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।ଗତ ଫେବ୍ରୁଆରୀ ୨୭ ତାରିଖରେ ସୁପ୍ରିମକୋର୍ଟରେ ଅନୁଭବଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଅପରାଧିକ ମାମଲାର କ୍ୱାସିଂ ଆପ୍ଲିକେସନ ବା ଚାର୍ଜଫ୍ରେମ୍ ଇତ୍ୟାଦି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଅନୁଭବ। ଏଥିରେ ଓଡ଼ିଶା ସରକାର ଏବଂ ଅନୁଭବଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ କରାଯାଇଛି ।ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ସ୍ପେଶାଲ ଲିଭ୍ ପିଟିସନର ଶୁଣାଣି କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୩୦ରେ ଓଡ଼ିଶା ହାଇକୋର୍ଟ ଅନୁଭବଙ୍କ ମାମଲା ରଦ୍ଦ ଆବେଦନକୁ ଖାରଜ କରିବା ସହ ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଥିଲେ।

ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଅନୁଭବ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀ କଟକର ପୁରୀଘାଟ ଥାନାରେ ଏକ ଏତଲା ଦେଇଥିଲେ। ୨୦୨୦ ଡିସେମ୍ବର ୧୮ରେ ଅନୁଭବ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ବର୍ଷାଙ୍କୁ କଟକ ନନ୍ଦୀସାହିସ୍ଥିତ ଶ୍ୱଶୁର ଘରେ ଏକ ରୁମରେ ତାଲା ପକାଇ ରଖିଥିବା ଅଭିଯୋଗ ହୋଇଥିଲା। ଏହାସହ ତାଙ୍କୁ ମାନସିକ ନିର୍ଯାତନା ଦେବା, ଜବରଦସ୍ତି ତାଙ୍କ ରୁମରେ ପଶି ଭିଡିଓ ସୁଟିଂ କରିବା ଏବଂ ତାଙ୍କ ସମ୍ମାନକୁ ହାନି ପହଞ୍ଚାଇବା ଭଳି ଗମ୍ଭୀର ଅଭିଯୋଗ ହୋଇଥିଲା।ଆବେଦନକାରୀ ଅନୁଭବ ମହାନ୍ତିଙ୍କ ପକ୍ଷରୁ ପ୍ରତିଷ୍ଠିତ ଆଡଭୋକେଟ ଆଶିଷ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି। ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ଦୀର୍ଘ ଦିନ ଧରି ଚାଲିଥିବା ବେଳେ, ଏବେ ଏହି କ୍ରିମିନାଲ ମିସଲେନିୟସ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

You might also like