ବଡ଼ ଦୁର୍ଘଟଣା ଟଳିଲା : ଅବତରଣ ସମୟରେ ବିମାନ ଟାୟାରରେ ନିଆଁ ଲାଗିଲା
ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା । ପୁଲିସ ନିଶ୍ଚିତ କରିଛି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତୁର୍କୀ ଏୟାରଲାଇନ୍ସର ବିମାନ TK-726 ଇସ୍ତାନବୁଲରୁ କାଠମୁଣ୍ଡ ଆସୁଥିଲା । ବିମାନଟି ଅବତରଣ କରିବା ସମୟରେ ଆଗ ଟାୟାରରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟଭୀତ ହୋଇଯାଇଥିଲେ । ବିମାନ ଟାୟାରରେ ନିଆଁ ଲାଗିଥିବା ଖବର ପାଇବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତତ୍ପରତା ଦେଖାଇ ବିମାନରେ ଥିବା ଯାତ୍ରୀଙ୍କୁ ଏମରଜେନ୍ସୀ ଦ୍ବାର ଦେଇ ବାହାର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଅଧିକାରୀଙ୍କ ଅନୁଯାୟୀ, ବିମାନଟିରେ ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟ ଥିଲେ। ଘଟଣା ସମ୍ପର୍କରେ ବିମାନବନ୍ଦର କିମ୍ବା ବିମାନ କମ୍ପାନି ପକ୍ଷରୁ କୌଣସି ସରକାରୀ ବିବୃତ୍ତି କିମ୍ବା ଘୋଷଣା କରାଯାଇ ନାହିଁ। ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।