ଏଣିକି ଫଳ ପଚାଇବାକୁ କାରବାଇଡ ବ୍ୟବହାର କରାଗଲେ ନିଆଯିବ କଡ଼ା ଆକ୍ସନ

ଫଳକୁ କୃତ୍ରିମ ଭାବେ ପଚାଇବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ, ଭାରତ ସରକାର ଏବଂ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ତଥା FSSAI ଏଥିପାଇଁ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି। ସରକାର କାଲସିୟମ୍ କାର୍ବାଇଡ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଜୋରଦାର ଧରପଗଡ଼ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଶେଷ କରି ଆମ୍ବ, କଦଳୀ, ଅମୃତଭଣ୍ଡା ଆଦି ଫଳକୁ କୃତ୍ରିମ ଉପାୟରେ ପଚାଇବା ପାଇଁ ଅସାଧୁ ବ୍ୟବସାୟୀ ବହୁଳ ଭାବେ କ୍ୟାଲସିୟମ୍ କାର୍ବାଇଡକୁ ବ୍ୟବହାର କରିଥାନ୍ତି। ତେବେ ଏହି ରାସାୟନିକ ଦ୍ରବ୍ୟ ସ୍ବାସ୍ଥ୍ୟପ୍ରତି ହାନୀକାରକ। ଏପରିକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି କୌଣସି ବ୍ୟବସାୟୀ ଏହାର ବ୍ୟବହାର କରୁଥିବା ଧରାପଡ଼ନ୍ତି, ତେବେ ତାଙ୍କ ଉପରେ ଭାରୀ ଜରିମାନା ସହ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।

କ୍ୟାଲ୍‌ସିୟମ କାର୍ବାଇଡ୍‌ କ୍ୟାନ୍‌ସର ସୃଷ୍ଟି କାରକ। ଏହା ଶରୀରର ଲିଭର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ। ଏହାର ଅବଶେଷରେ କିଛି ଆର୍ସେନିକ୍‌ ଓ ଫସ୍‌ଫୋରସ୍‌ ହାଇଡ୍ରାଇଡ ଥିବାରୁ ଶରୀରରେ ତରୁଣ ଓ ଦୀର୍ଘକାଳୀନ ରୋଗ ସୃଷ୍ଟିକରେ। ରାସାୟନିକ ପଦାର୍ଥ ଅଧିକ ଥିଲେ ଫୁସ୍‌ଫୁସ୍‌ରେ ଜଳ ଜମିଯାଏ। କୃତ୍ରିମ ଭାବରେ ପାଚିଥିବା ଆମ୍ବ ଖାଇଲେ ପାକସ୍ଥଳୀ ଓ ଅନ୍ତଃନଳୀରେ ଯନ୍ତ୍ରଣା ହୁଏ। ଦୀର୍ଘଦିନ ଧରି ଏପରି ଫଳ ଖାଇଲେ ପେଟରେ କ୍ଷତ ଓ ଘାଆ ହୋଇପାରେ। ମଣିଷ ଶରୀରରେ ଏସିଟିଲିନ୍‌ କମ୍‌ ମାତ୍ରାରେ ସେତେଟା ବିଷାକ୍ତ ନ ହେଲେ ମଧ୍ୟ ଅଧିକ ମାତ୍ରାରେ ଏହା ଦୀର୍ଘକାଳୀନ ହାଇପୋକ୍ସିଆ ଯୋଗୁ ସ୍ନାୟୁରୋଗ ଏବଂ ମୂର୍ଚ୍ଛାରୋଗ ସୃଷ୍ଟି କରିପାରେ। ଅମ୍ଳଜାନ ଅଭାବ ହେଲେ ଏପରି ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଅଧିକ କ୍ଷତି ପହଞ୍ଚାଇବା ପୂର୍ବରୁ ଆର୍ସେନିକ ଓ ଫସ୍‌ଫରସ ବିଷ ଚିହ୍ନଟ କରିହୁଏ। ଗର୍ଭବତୀ ମହିଳାଙ୍କର ଗର୍ଭପାତ ମଧ୍ୟ ଏପରି ବିଷ ଯୋଗୁ ହୋଇପାରେ।

You might also like