ଦୁର୍ବଳ ହେଉଛି ଲଘୁଚାପ, କମିବ ବର୍ଷାର ପରିମାଣ

ଭୁବନେଶ୍ୱର(ରାଜ୍ୟକାହାଣୀ) ଲଗାତାର ଅଦିନିଆ ବର୍ଷାରେ ଓଡ଼ିଶା ବେହାଲ୍‌। ଉପକୂଳରୁ ଆଭ୍ୟନ୍ତରୀଣ  ଓଡ଼ିଶା ଯାଏଁ ସବୁଠି ଲାଗି ରହିଛି ବର୍ଷା। ପାଣିପାଗ  ପୂରା ବିଗିଡ଼ିଯାଇଛି। ଫସଲ ପାଣିରେ ବତରୁ ବରବାଦ୍‌। ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଫଳରେ ବର୍ଷାର ପ୍ରଭାବ କମିବ ।ହେଲେ ଆସନ୍ତାକାଲି ସଂଧ୍ୟା କିମ୍ବା ୨୮ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ସୋନପୁର, ବଲାଙ୍ଗୀର, ସମ୍ବଲପୁର,  ବରଗଡ଼ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।  ଏପରିକି କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ହୋଇପାରେ। ଶୁକ୍ରବାରଠାରୁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ରାଜ୍ୟରେ କୁହୁଡ଼ି ବଢ଼ିବ। ଗୁରୁବାର ସକାଳେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ,  କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ସୋନପୁରରେ ଘନ କୁହୁଡ଼ି ହୋଇପାରେ। ଗୁରୁବାର ରାତିରୁ ଶୁକ୍ରବାର ସକାଳ ଯାଏଁ ସୋନପୁର,  ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଘନ କୁହୁଡ଼ି ଘେରିବ। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟମ ଧରଣର କୁହୁଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି । 

Leave A Reply

Your email address will not be published.

two × two =