ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀ’ଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୧୦୦ ତମ ଜନ୍ମ ଜୟନ୍ତୀ। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ। ଜଣେ ଉଦାରବାଦୀ ନେତା ଭାବେ ବିବେଚିତ ବାଜପେୟୀ ଅବିବାହିତ ଥିଲେ। ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାଜପେୟୀଙ୍କ ପିତା କୃଷ୍ଣ ବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ। କୃଷ୍ଣ ବିହାରୀ ଜଣେ କବି ଏବଂ ନିଜ ଗାଁ’ରେ ଶିକ୍ଷକତା କାର୍ଯ୍ୟ କରୁଥିଲେ। ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ।ବାଜପେୟୀ ଦୀର୍ଘ ବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରବାଦୀ ପତ୍ରପତ୍ରିକାର ସମ୍ପାଦନା କରିଥିଲେ। ବିଭିନ୍ନ କବି ସମ୍ମିଳନୀରେ ଯୋଗଦେବା ଅବସରରେ ସେ ପିଲାଦିନୁ କବିତା ଲେଖିବା ଆରମ୍ଭ କରିଥିଲେ। ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ ଜୀବନ ଆଦି ପରି ବିଷୟ ତାଙ୍କ କାବ୍ୟ କବିତାରେ ପ୍ରକାଶ ପାଇଛି। ୧୯୯୬ ମସିହାରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ। ଏହାପରେ ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା “ଅପରେସନ ଶକ୍ତି’ ଥିଲା ତାଙ୍କର ଆଉ ଏକ ସଫଳତା। ଏହାଦ୍ୱାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ୍ କରାଇଥିଲେ। ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା। ବାଜପେୟୀ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ କରିଥିଲେ। ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। 

Leave A Reply

Your email address will not be published.

fourteen + nine =