୨୦ ଛୁଆଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଲେ ଅଙ୍ଗନୱାଡ଼ି ରୋଷେୟା
ମଧ୍ୟପ୍ରଦେଶର ନିମଚ୍ ଜିଲ୍ଲା ରନପୁର ଗାଁରେ ଜଣେ ଅଙ୍ଗନବାଡି କେନ୍ଦ୍ରର ରୋଷେୟାଙ୍କ ସାହସ ଓ ତ୍ୟାଗ ଯୋଗୁ ପାଖାପାଖି ୨୦ ଜଣ କୋମଳମତି ଶିଶୁଙ୍କ ଜୀବନ ବଞ୍ଚି ଯାଇଛି । ମାଦବାଡା ପଞ୍ଚାୟତରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ମହୁମାଛି ଦଳ ମାଡ଼ି ଆସିଥିଲା । ଅନଙ୍ଗବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍ ଓ ମ୍ୟାଟ୍ରେ ପିଲାଙ୍କୁ ଘୋଡ଼ାଇ ଅଙ୍ଗନବାଡ଼ି କେନ୍ଦ୍ର ଭିତରକୁ ନେଇଯାଇଥିଲେ । ଇତିମଧ୍ୟରେ କଞ୍ଚନ ବାଈଙ୍କୁ ମହୁମାଛି ଭିଣିଦେଲେ । ଗମ୍ଭୀର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।କଞ୍ଚନ ବାଇଙ୍କ ଶରୀରରେ ମହୁମାଛିଙ୍କ ଅଗଣିତ ଦଂଶନ ଚିହ୍ନ ତାଙ୍କ ସାହସର ପରିଚୟ ଥିଲା । କଞ୍ଚନ ବାଇ ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ ଥିବାବେଳେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। କଞ୍ଚନ ବାଇଙ୍କ ସ୍ବାମୀ ଶିବଲାଲ ପକ୍ଷାଘାତ ରୋଗୀ। ସେମାନଙ୍କର ଜଣେ ପୁଅ ଓ ଦୁଇଜଣ ଝିଅ ଅଛନ୍ତି । ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର କଞ୍ଚନବାଇଙ୍କ ମୃତଦେହ ଗାଁରେ ପହଞ୍ଚି ଥିଲା । ସମସ୍ତେ ତାଙ୍କ ସାହସ ଓ ତ୍ୟାଗର ପ୍ରଶଂସା କରିଥିଲେ। ଗାଁରେ ମହୁମାଛିକୁ ନେଇ ଭୟର ବାତାବରଣ ରହିଛି । ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ମହୁମାଛି ବସା ହଟେଇବା ଓ କଞ୍ଚନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।