ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଆଉ ରହିବ ନାହିଁ ।ଏହି ଯୋଜନା ପାଇଁ ୬୩,୬୦୦ କୋଟିର ଏକ ମଞ୍ଜୁରୀ ଅନୁମୋଦନ କରାଯାଇଛି। ଯେଉଁଥିରେ ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ ଫ୍ରେମ୍ଓ୍ବାର୍କ (ଏନ୍ଆଇଆର୍ଏଫ୍) ଉପରେ ଆଧାର କରି ଦେଶର ଶ୍ରେଷ୍ଠ ୮୬୦ ଶିକ୍ଷାନୁଷ୍ଠାନରେ ଆଡ୍ମିଶନ ପାଇଥିବା ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଋଣ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ମେଧାବୀ ଛାତ୍ରୀଛାତ୍ର ଉପକୃତ ହେବେ।୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ବି ଗ୍ୟାରେଣ୍ଟରର ଆବଶ୍ୟକତା ପଡ଼ିବ ନାହିଁ । ଖାଲସେତିକି ନୁହେଁ ଋଣ ସୁଧରେ ମଧ୍ୟ ସବସିଡି ମିଳିବ । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୩% ସୁଧ ଛାଡ଼ ସହିତ ଛାତ୍ରଛାତ୍ରୀମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ।
ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ପାଇଁ ଯୋଗ୍ୟତା- ଯେଉଁ ପରିବାରର ମୋଟ ଆୟ ୮ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍, ସେହି ପରିବାରକୁ ଋଣ ପ୍ରଦାନ କରାଯିବ । ପ୍ରତିବର୍ଷ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାରୁ ଲୋନ ଦିଆଯିବ । କ୍ୟାବିନେଟ୍ ମିଟିଙ୍ଗରେ ନିଆଯାଇଥିବା ଏହି ନିଷ୍ପତ୍ତି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କେମିତି କରିବେ ଆବେଦନ – ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନା ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ https://www.vidyalakshmi.co.in/ କୁ ଯାଇ ଆବେଦନ କରିପାରିବେ ।