କଥାରେ ଅଛି ‘ରଖେ ହରି ତ ମାରେ କିଏ’। ଏହାର ସତ୍ୟତା ମଧ୍ୟ ରହିଛି। ଯାହାକୁ ରକ୍ଷା କରିବାକୁ ସ୍ଵୟଂ ଭଗବାନଙ୍କ ଆଶୀର୍ବାଦ ରହିଥିବ ତା’କୁ କିଏ ମାରିବ ? ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ଏକ ୨ ମାସର ଶିଶୁର ଜୀବନଯାତ୍ରା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିବ। ଅଗଷ୍ଟ ୨୬ ଜନ୍ମାଷ୍ଟମୀରେ ହମିରପୁରର ଏକ ବ୍ରିଜ ତଳୁ ନବଜାତ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। କେହି ବ୍ରିଜରୁ ଫିଙ୍ଗି ଦେବା ପରେ ଶିଶୁଟି ଗଛ ଡାଳରେ ଝୁଲି ରହିଥିଲା। ଗଛରେ ଲାଖିଯିବା ପରେ ଦେହରେ ୫୦ରୁ ଅଧିକ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାକୁ କାନପୁରର ଲାଲା ଲଜପତ ରାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦୁଇମାସ ଚିକିତ୍ସା ପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଜନମାଷ୍ଟମୀ ଉତ୍ସବରେ ସେ ମିଳିଥିବାରୁ ଡାକ୍ତରଖାନାର କର୍ମଚାରୀମାନେ ଶିଶୁର ନାଁ କୃଷ୍ଣ ରଖିଥିଲେ।କିନ୍ତୁ ଏବେ ଯେତେବେଳେ ୨ ମାସ ପରେ ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିଛି ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଛି। ହସ୍ପିଟାଲର ଡାକ୍ତର ଓ ନର୍ସଙ୍କ ଠାରୁ ଆରମ୍ଭ କରି କର୍ମଚାରୀମାନେ କ୍ରିଷ୍ଣାଙ୍କୁ ଲୁହ ଭିଜା ଆଖିରେ ପୁଲିସ୍ ଓ ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଛନ୍ତି।କାନପୁରର ଲାଲା ଲଜପତ ରାଏ ହସ୍ପିଟାଲରେ କ୍ରିଷ୍ଣାର ଚିକିତ୍ସା ଚାଲିଥିଲା। ଏହାର ପ୍ରିନ୍ସିପାଲ କହିଛନ୍ତି ଯେ ୨ ମାସ ତଳେ ପିଲାଟିକୁ ହମିରପୁରରୁ ଗୁରୁତର ଅବସ୍ଥାରେ ଅଣାଯାଇଥିଲା।